ମୁଖ୍ୟସ୍ରୋତରେ ୧୦୮ ନକ୍ସଲ ସାମିଲ
ଛତିଶଗଡ଼ରେ ଆତ୍ମସମର୍ପଣ କରିଛନ୍ତି ୧୦୮ ନକ୍ସଲ
ଜଙ୍ଗଲରୁ କ୍ରମଶ ନକ୍ସଲମାନେ ବାହାରି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଲାଗିଛନ୍ତି । ସଂଗଠନର ଛାମୁଆ ନେତା ପୁଲିିସ ନିକଟରେ ଆତ୍ମସମର୍ପଣ କରୁଥିବାବେଳେ ଅନ୍ୟ ନକ୍ସଲମାନେ ମଧ୍ୟ ଜଙ୍ଗଲ ଛାଡ଼ିବାକୁ ମନସ୍ଥ କରି ଆତ୍ମସମର୍ପଣ କରୁଥିବା ପରିଲକ୍ଷିତ ହେଉଛି । ଏହି କ୍ରମରେ ଛତିଶଗଡ଼ର ବସ୍ତରର ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ପୁନର୍ବାସରୁ ପୁନର୍ଜୀବିତ କାର୍ଯ୍ୟକ୍ରମରେ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ୧୦୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି ।
ଏମାନଙ୍କ ମଧ୍ୟରୁ ୪୪ଜଣ ମହିଳା ନକ୍ସଲ ଥିବା ଜଣାପଡ଼ିଛି । ୧୦୮ ମାଓବାଦୀ ନାମରେ ୩କୋଟି ୨୯ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ଏଥିସହ ଜଙ୍ଗଲରୁ ସର୍ଚ ଅପରେସନ ବେଳେ ମାଓ ଡମ୍ପରୁ ୧୦୧ଟି ଅତ୍ୟାଧୁନିକ ହତିଆର ଜବତ କରାଯାଇଛି । ସେଥିମଧ୍ୟରୁ ଏକେ-୪୭ ବନ୍ଧୁକ ୭ଟି, ୧୧ଟି ଇନସାସ, ୬ଟି ଏସଏଲ୍ଆର, ୨୦ଟି ୩୦୩ ବନ୍ଧୁକ, ୨୫ଟି ୧୨ ବୋର ରାଇଫଲ, ୫ଟି ୩୧୫ ବୋର ରାଇଫଲ ସହ ବିଜିଏଲ ଲଂଚରକୁ ମିଶାଇ ୧୦୧ଟି ମାରଣାସ୍ତ୍ର ରହିଛି । ଏହି ଡମ୍ପରୁ ପ୍ରଥମ ପାଇଁ ୩କୋଟି ୬୧ଲକ୍ଷ ଟଙ୍କା ଜବତ କରାଯାଇଥିବାବେଳେ ଏକ କିଲୋ ସୁନା ମଧ୍ୟ ଜବତ କରାଯାଇଛି ।
ଆତ୍ମ ସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରୁ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟିର ଡିଭିସିଏମ ସଦସ୍ୟ ରାହୁଳ ଡେଲମ, ପାଣ୍ଡରୁ କାବାସି ଓ ଜିତରୁ ଓୟାମ, ପୂର୍ବ ବସ୍ତର ଡିଭିଜନର ଡିଭିସିଏମ ସଦସ୍ୟ ରାମଧର, ଡିଭିସିଏମ ମାଲେଶ, କମ୍ପାନୀ କମାଣ୍ଡର ମୁଚାକି, ଏଓବିର କମାଣ୍ଡ କୋସା ମାଣ୍ଡବୀ ପ୍ରମୁଖ ସାମିଲ ରହିଥିବା ଜଣାପଡ଼ିଛି ।
ଏମାନଙ୍କ ମଧ୍ୟରୁ ୫ଜଣ ଡିଭିସିଏମ, ଜଣେ କମ୍ପାନୀ କମାଣ୍ଡର, ୧୫ଜଣ ପ୍ଲାଟୁନ ପାର୍ଟି କମିଟି ସଦସ୍ୟ, ୨୧ଜଣ ଏରିଆ କମିଟି ମେମ୍ବର, ୬୩ଜଣ ପାର୍ଟି ସଦସ୍ୟ ରହିଛନ୍ତି । ସମସ୍ତ ଆତ୍ମସମର୍ପଣ ନକ୍ସଲଙ୍କୁ ୫୦ହଜାର ଟଙ୍କା ଲେଖାଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।
ପ୍ରକାଶ ଥାଉ କି ଗତ ୨୬ ମାସରେ ଛତିଶଗଡ଼ରେ ମୋଟ ୨୭୧୪ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେହିପରି ୨୦୨୪ରୁ ଆଜି ପର୍ଯ୍ୟନ୍ତ ମୋଟ ୨୬୨୫ଜଣ ମାଓବାଦୀଙ୍କୁ ଆତ୍ମନିର୍ଭରଶୀଳ କରାଯାଇଛି । ମାର୍ଚ ୩୧ ପୂର୍ବରୁ ଜଙ୍ଗଲରେ ଥିବା ଅନ୍ୟ ନକ୍ସଲମାନେ ମଧ୍ୟ ମୁଖ୍ୟସ୍ରୋତରେ ସାମିଲ ହେବେ ବୋଲି ପୁଲିସ ପ୍ରକାଶ କରିଛି ।