ଦେଶରେ ଗ୍ୟାସ ବୁକିଂରେ ସମସ୍ୟା
ଗ୍ୟାସ ବିତରକ କମ୍ପାନୀଙ୍କ ଫୋନ ନମ୍ବର ଲାଗୁନାହିଁ
ମଧ୍ୟପ୍ରାଚ୍ୟରେ ଚାଲିଥିବା ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଥମିବାକୁ ନା ନେଉନି । ଏହି ଯୁଦ୍ଧ ପ୍ରାୟ ୨ ସପ୍ତାହ ହେବ ଚାଲିଲାଣି । ତେବେ ଏହାର ପ୍ରଭାବ ସୁଦୂର ଭାରତ ଉପରେ ମଧ୍ୟ ପଡ଼ିଛି ।
ବିଶେଷ କରି ଓମାନ ଏବଂ ଇରାନ ମଧ୍ୟରେ ଥିବା ଷ୍ଟ୍ରେଟ୍ ଅଫ୍ ହାର୍ମୁଜକୁ ଇରାନ କବଜା କରିନେଇଥିବାରୁ ଏବଂ ସେହି ସଂକୀର୍ଣ୍ଣ ଜଳପଥ ଦେଇ କୌଣସି ଜାହାଜକୁ ଗ୍ୟାସ ଓ ତେଲ ପରିବହନ କରାଇ ଦେଉନଥିବାରୁ ସମଗ୍ର ବିଶ୍ୱରେ ଗ୍ୟାସ ଓ ତେଲକୁ ନେଇ ସଂକଟ ଉତ୍ପନ୍ନ ହୋଇଛି ।
ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭାରତ ସରକାର ଏଲ୍ପିଜି ଇନ୍ଧନ ଗ୍ୟାସ ବୁକିଂର ନିୟମରେ ପରିବର୍ତନ ଆଣିଛନ୍ତି । ଜଣେ ଉପଭୋକ୍ତା ଥରେ ଗୋଟିଏ ଗ୍ୟାସ ସିଲିଣ୍ଡର ବୁକିଂର ୨୫ ଦିନ ପରେ ଆଉ ଗୋଟିଏ ରିଫିଲିଂ ଗ୍ୟାସ ବୁକିଂ କରିପାରିବେ; କିନ୍ତୁ ଏବେ ଗ୍ୟାସ ବୁକିଂରେ ମଧ୍ୟ ଘୋର ସମସ୍ୟା ଦେଖାଦେଇଛି ।
ଅଧିକାଂଶ ଗ୍ୟାସ ବିତରକ କମ୍ପାନୀଙ୍କ ଫୋନ ନମ୍ବର ଲାଗୁନାହିଁ ବା ସେମାନଙ୍କୁ ବୁକିଂ ପାଇଁ ଫୋନ କଲେ କେହି ସେପଟୁ ଉଠାଉନାହାନ୍ତି । ଫଳରେ ଲୋକେ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ବହୁ ହଟହଟା ହେଉଛନ୍ତି । ଏ
ହାର ପ୍ରଭାବ ମଧ୍ୟ ରୋଷେଇଶାଳାରେ ପଡ଼ିଛି । ଦେଶର ବହୁ ବଡ଼ ବଡ଼ ମହାନଗରରେ ଥିବା ହୋଟେଲ ଓ ରେଷ୍ଟୁରାଂଟଗୁଡ଼ିକ ଗ୍ୟାସ ସିଲିଣ୍ଡର ଅଭାବରୁ ବନ୍ଦ କରିଦେଇଛନ୍ତି ବା ସେମାନେ ତାଙ୍କର ମେନୁରେ ବ୍ୟାପକ କାଟ୍ଛାଂଟ କରିଛନ୍ତି ।