୩୬୫ ସାଇବର ଅଭିଯୁକ୍ତ ଗିରଫ
ଅପରେସନ ସାଇବର କବଚ ଅନ୍ତର୍ଗତ ୩୭,୦୯୪ଟି ମ୍ୟୁଲ ଆକାଉଂଟ ଯାଂଚ
ସାଇବର ଅପରାଧ ନେଟୱାର୍କକୁ ସମୂଳ ଧ୍ୱଂସ କରିବା ଉଦେ୍ଦଶ୍ୟରେ ଓଡ଼ିଶା ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ବିଶେଷ ଅଭିଯାନ ଅପରେସନ ସାଇବର କବଚ ସମଗ୍ର ରାଜ୍ୟରେ ଜାରି ରହିଛି ।
ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦେଶକ୍ରମେ ଜିଲା ଏସ୍ପି ଓ ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲା ସାଇବର କ୍ରାଇମ ୟୁନିଟମାନଙ୍କଦ୍ୱାରା ଏହି ଅଭିଯାନ କାର୍ଯ୍ୟାନୁଷ୍ଠାନ ହେଉଛି ।
ସାଇବର କ୍ରାଇମ୍ ୟୁନିଟ୍, ସିଆଇଡି କ୍ରାଇମ୍ ବ୍ର୍ରାଂଚ ଏହାର ସମନ୍ୱୟ କରୁଛି । ଏହି ଅଭିଯାନର ମୁଖ୍ୟ ଉଦେ୍ଦଶ୍ୟ ସାଇବର ଅପରାଧୀମାନଙ୍କ ଆର୍ଥିକ ଢାଂଚାକୁ ଧ୍ୱଂସ କରିବା । ଏପର୍ଯ୍ୟନ୍ତ ଅପରେସନ ସାଇବର କବଚ ଅନ୍ତର୍ଗତ ସମଗ୍ର ରାଜ୍ୟରେ ମୋଟ ୩୭,୦୯୪ଟି ମ୍ୟୁଲ/ବେନାମୀ ବ୍ୟାଙ୍କ ଆକାଉଂଟ ଯାଂଚ କରାଯାଇଛି ।
ଏହା ସହ ମ୍ୟୁଲ ବ୍ୟାଙ୍କ ସମ୍ପର୍କିତ ୧୧୮୫ଟି ସାଇବର ମାମଲା, ଏଟିଏମ୍ ରୁଜୁ ହୋଇଛି । ୩୬୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ୧୯୨ଟି ପୁୁରୁଣା ଏଫ୍ଆଇଆର୍ ସହ ସଂପୃକ୍ତ ୭୨୭୬ଜଣ ସନ୍ଦିଗ୍ଧ ଆକାଉଂଟଧାରୀ ଓ ସହାୟକଙ୍କୁ ଆଇନଗତ ନୋଟିସ୍ ଜାରି କରାଯାଇଛି ।