ଜଳିଗଲା ୨୦ ଦୋକାନ ଓ ୧୨ ବଖରା
ବାସୁଦେବପୁର ବ୍ଲକ ବିନାୟକପୁର ପଂଚାୟତ ବାଗଦା ବିନାୟକପୁର ବେହେରାସାହିରେ ବୁଧବାର ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ୬ଟି ପରିବାରର ୧୨ଟି ବଖରା ଜଳି ନଷ୍ଟ ହୋଇଯାଇଥିବାବେଳେ କଟକ ଜିଲା ବନ୍ତଳା ଥାନା ଅନ୍ତର୍ଗତ ମଦନମୋହନ ମାର୍କେଟ୍ରେ ଥିବା କଟକ ସୁଇଟ୍ସ ମିଠା ଦୋକାନରେ ଗ୍ୟାସ୍ ସିଲିଣ୍ଡର ଫାଟି ଏକାଧିକ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି ।
ସମସ୍ତ ମାର୍କେଟ୍ଟି ଏହି ଅଗ୍ନ୍ିକାଣ୍ଡ ଯୋଗୁଁ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ କଟକ ସୁଇଟ୍ସ ମିଠା ଦୋକାନରେ ଗୁରୁବାର ଅପରାହ୍ଣରେ ଗ୍ୟାସରେ ବସାଇ ମିଠା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ତିଆରି ହେଉଥିବା ସମୟରେ ଗ୍ୟାସ ସିଲିଣ୍ଡରଟି ଅଚାନକ ବିକଟ ଶବ୍ଦ କରି ବିସ୍ଫୋରଣ କରିଥିଲା ।
ଯାହାଦ୍ୱାରା ମିଠା ଦୋକାନଟି ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଥିବାବେଳେ ପାଶ୍ୱର୍ସ୍ଥ ପ୍ରାୟ ୨୦ଟି ଭଳି ଦୋକାନ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଖବର ପାଇ ଘଟଣାସ୍ଥଳରେ ବନ୍ତଳା ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିଛି ।
ତେବେ ବୁଧବାର ବିଳମ୍ବିତ ରାତ୍ରିରେ ବାସୁଦେବପୁର ବ୍ଲକ୍ ବିନାୟକପୁର ପଂଚାୟତ ବାଗଦା ବିନାୟକପୁର ବେହେରା ସାହିରେ ଯେଉଁ ଅଗ୍ନିକାଣ୍ଡ ଘଟିଲା, ସେଥିରେ ୬ଟି ଦୋକାନ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।
ସେହିପରି ବହୁ ମୂଲ୍ୟ ସାମଗ୍ରୀ ଓ ଗହଣା ଆଦି ପୋଡ଼ି ନଷ୍ଟ ହୋଇଥିବା କୁହାଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିଲେ ସୁଦ୍ଧା ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁ ଲିଭାଇଥିଲା ।