୨ହଜାରରେ ସିଲିଣ୍ଡର ବିକୁଥିଲେ ନେତା
ସମଗ୍ର ଦେଶରେ ଏଲ୍ପିଜି ସିଲିଣ୍ଡରର ସଂକଟ ଦେଖାଦେଇଛି । ବିଭିନ୍ନ ସ୍ଥାନରେ କଳାବଜାରି ହେଉଥିଲେ ସୁଦ୍ଧା ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ସମର୍ଥ ହୋଇପାରୁ ନାହିଁ ।
ଉତର ପ୍ରଦେଶରେ ଏଭଳି ଏକ ଘଟଣା ସାଧାରଣଙ୍କ ନଜରକୁ ଆସିବାଦ୍ୱାରା ସାଧାରଣରେ ଚର୍ଚାର ବିଷୟ ପାଲଟିଛି । ଜଣାପଡ଼ିଛି ଯେ ଉତର ପ୍ରଦେଶର ଜଣେ ନେତାଙ୍କ ଘରୁ ୫୫ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି । ସମାଜବାଦୀ ନେତା ଅବଦୁଲ ରହମାନଙ୍କ ଘରୁ ସିଲିଣ୍ଡର ଜବତ ହୋଇଛି ।
ସୂଚନା ଅନୁସାରେ ଏଲପିଜି ସିଲିଣ୍ଡର ଗଚ୍ଛିତ ରଖିବା ସୂଚନା ପାଇ ସ୍ଥାନୀୟ କର୍ତୃପକ୍ଷ ହାପୁର ଜିଲା ଅସୌରା ଗାଁରେ ଥିବା ରହମାନଙ୍କ ଘରେ ଚଢ଼ଉ କରିବାରୁ ଘରୁ ୫୫ଟି ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ କରିଥିଲେ । ତେବେ ଘଟଣାସ୍ଥଳରୁ ରହମାନ ଫେରାର ଥିବା ଜଣାପଡ଼ିଛି ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଯେ ରହମାନ ପ୍ରତି ସିଲିଣ୍ଡରକୁ ୨ହଜାର ଟଙ୍କାରେ ବିକ୍ରି କରୁଥିଲେ । ଅଭିଯୋଗ ଆଧାରରେ ହାପୁର ଦେହାତର ଷ୍ଟେସନ ହାଉସ ଅଫିସର ଇନ୍ସପେକ୍ଟର ନୀରଜ ରହମାନଙ୍କ ବିରୋଧରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍ ଅନୁଯାୟୀ ଚଢ଼ଉ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।
ଘଟଣା ପରେ ହାପୁର ସମାଜବାଦୀ ପାର୍ଟି ଜିଲା ସଭାପତି ଆନନ୍ଦ ଗୁର୍ଜର ଅବଦୁଲ ରହମାନଙ୍କ ଦଳ ସହିତ ସମ୍ପର୍କକୁ ଅସ୍ୱୀକାର କରିଥିବା ଜଣାପଡ଼ିଛି । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦେଶ ପରେ କର୍ତୃପକ୍ଷମାନେ ଏଲପିଜି ସିଲିଣ୍ଡର ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତୀବ୍ର କରିଥିବା ଜଣାପଡ଼ିଛି ।