୪ର୍ଥ କଳା ବିକାଶ କେନ୍ଦ୍ର ମହୋତ୍ସବ
ଓଡ଼ିଆ ଅସ୍ମିତାର ଉଜ୍ୱଳ ପ୍ରତୀକ ହେଉଛି କଳା ବିକାଶ କେନ୍ଦ୍ର : ସୌମ୍ୟ ରଞ୍ଜନ
ଓଡ଼ିଶାର କଳା, ନୃତ୍ୟ, ସଂଗୀତର ସୁରକ୍ଷା ପାଇଁ ପ୍ରଚେଷ୍ଟା ହେବା ଆବଶ୍ୟକ । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାରେ ରହିଛି ମାନବିକତା ଓ ଜୀବନପ୍ରତି ଗଭୀର ଅନୁରାଗ ବୋଲି କଟକ କଳା ବିକାଶ କେନ୍ଦ୍ରର ଉଦ୍ଘାଟନୀ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।
କଟକ କଳା ବିକାଶ କେନ୍ଦ୍ର ପ୍ରେକ୍ଷାଳୟଠାରେ ୪ର୍ଥ କଳା ବିକାଶ କେନ୍ଦ୍ର ମହୋତ୍ସବର ୩ ଦିନିଆ କାର୍ଯ୍ୟକ୍ରମକୁ ଇଷ୍ଟର୍ନ ମିଡ଼ିଆ ଗ୍ରୁପର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ଉଦ୍ଘାଟନ କରି କହିଥିଲେ ଯେ ଓଡ଼ିଆ ଅସ୍ମିତାର ଉଜ୍ୱଳ ପ୍ରତୀକ ହେଉଛି ଏହି କଳା ବିକାଶ କେନ୍ଦ୍ର ।
ଅନୁଷ୍ଠାନର ବିକାଶରେ ଓଡ଼ିଶୀ ନୃତ୍ୟ, ସଂଗୀତର ବିକାଶ ପାଇଁ ଉଦ୍ୟମ ଜାରି ରହିବା ନିତ୍ୟାନ୍ତ ଅପରିହାର୍ଯ୍ୟ । ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ଜନମତ ଜାଗ୍ରତ ହେବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ପଦ୍ମଶ୍ରୀ କୁମକୁମ ମହାନ୍ତି କହିଥିଲେ ଯେ ସାଂସ୍କୃତିକ ମହୋତ୍ସବ ତରୁଣ ପିଢ଼ିକୁ ଉତ୍ସାହିତ କରିଥାଏ । କେନ୍ଦ୍ରର ମ୍ୟାନେଜିଂ ଟ୍ରଷ୍ଟି ରବୀନ୍ଦ୍ର ନାଥ ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ କେନ୍ଦ୍ରର ସଭାପତି ଉତ୍ସବରେ ସଭାପତିତ୍ୱ କରିଥିଲେ ।
ଉତ୍ସବରେ ବିଶିଷ୍ଟ ସାହିତି୍ୟକ ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି ନାଟ୍ୟଗୌରବ ସମ୍ମାନ ଓ ଇଞ୍ଜିନିୟର ଗୋପାଳ ଚନ୍ଦ୍ର ବେହେରାଙ୍କୁ ନିର୍ମାଣଶ୍ରୀ ଉପାଧିରେ କେନ୍ଦ୍ର ପକ୍ଷରୁ ସମ୍ମାନିତ କରାଯାଇଥିଲା । ଟ୍ରଷ୍ଟି ଗୌର ପଟ୍ଟନାୟକ ଧନ୍ୟବାଦ ଦେଇଥିବାବେଳେ ଡକ୍ଟର ସ୍ନେହ ମିଶ୍ର ମାନପତ୍ର ପାଠ କରିଥିଲେ ।
ଶ୍ରୀନିବାସ ଘାଟୁଆରୀ ଉତ୍ସବର ସଂଯୋଜନା କରିଥଲେ । କେନ୍ଦ୍ରର କାର୍ଯ୍ୟକାରୀ ସଭାପତି ଏ ମହେଶ୍ୱର ରାଓ, ସାଧାରଣ ସମ୍ପାଦକ ବିକାଶ ଚନ୍ଦ୍ର ଦାସ ଓ ପ୍ରଶାସନିକ ଅଧିକାରୀ ରବୀନ୍ଦ୍ର ନାଥ ଜଟ ଉତ୍ସବ ପରିଚାଳନା କରିଥିଲେ ।
ଉତ୍ସବରେ ବିଶେଷ ଭାବେ ପ୍ରଦର୍ଶିତ ହୋଇଥିବା ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ରଚିତ ତଥା ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କ ନିର୍ଦେଶିତ ଓଡ଼ିଶୀ ନୃତ୍ୟ ନାଟିକା ମାଟି କନ୍ୟାରେ ଅଭିନୟ କରିଥିଲେ ।
ପ୍ରାଚୀ ମହାନ୍ତି, ସ୍ମୃତି ସମ୍ଭାବନା, ପ୍ରତୀଚି ମହାନ୍ତି, ଚାହତ ସିଂହ, ଅନନ୍ୟା ପ୍ରିୟଦର୍ଶିନୀ, ପ୍ରତିଶ୍ରୁତି ସାହୁ, ଗାୟତ୍ରୀ ଛାତ୍ରିଆ, ବିଜୟଲକ୍ଷ୍ମୀ ଛାତ୍ରିଆ, ଶୁଭପ୍ରଦ ମହାରଣା, ସୁନୟନା ପଣ୍ଡା, ଦିବ୍ୟାଙ୍ଗି ମଧୁଶ୍ରୀ, ସୁଶ୍ରୀ ସୁଦେଶନା, ଶୁଭଶ୍ରୀ ଦାସ, ଶିତୁଷ୍ଣା ବାରିକ ଥିବାବେଳେ ଓ ବାଦ୍ୟଯନ୍ତ୍ରରେ ଅଗ୍ନିମିତ୍ର ବେହେରା, ମୁରଲିଧର ସ୍ୱାଇଁ, ସୌମ୍ୟରଞ୍ଜନ ନାୟକ, ପ୍ରକାଶ ଚନ୍ଦ୍ର ମହାପାତ୍ର. ଶ୍ରୀନିବାସ ଶତପଥୀ ସହଯୋଗିତା କରିଥିଲେ ।