ଦିଲୀପ ବିଧାୟକଙ୍କୁ ଯାଚୁଛନ୍ତି ୫ କୋଟି : ସପ୍ତଗିରି
୫ କୋଟି ଦେଇ ଭୋଟିଂ ପୂର୍ବରୁ ଟ୍ରାପ କରିବାକୁ ବିଜେପି ଚେଷ୍ଟା କରୁଛି
ରାଜ୍ୟସଭା ନିର୍ବାଚନ ଜିତିବା ଓ ସିଟ ହାସଲ କରିବା ଶାସକ ବିଜେପି ଦଳ ପାଇଁ ଏବେ ବୋଧେ ସମ୍ମାନର ପ୍ରଶ୍ନ ହୋଇସାରିଛି । ଏଣୁ କଳେ ବଳେ କୌଶଳେ ସେ ଏହି ନିର୍ବାଚନ ଜିତିବାକୁ ଚାହୁଁଛି । ଏଥିପାଇଁ ଯେକୌଣସି ସ୍ତର ପର୍ଯ୍ୟନ୍ତ ବିଜେପି ଯାଇପାରିବ ବୋଲି କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କହିବା ସହ ଏବେ ଗଣତନ୍ତ୍ରର ସମସ୍ତ ମର୍ଯାଦାକୁ ଶାସକ ବିଜେପି ଦଳ ଭାଂଗିସାରିଲେଣି ବୋଲି କହିଛନ୍ତି ।
ବିଶେଷ କରି ରାଜ୍ୟସଭା ନିର୍ବାଚନକୁ ଆଖିରେ ରଖି କ୍ରସ ଭୋଟିଂ ଭୟରେ କଂଗ୍ରେସ ତା’ର କିଛି ୪ ବିଧାୟକଙ୍କୁ ସୁଦୂର ବେଙ୍ଗାଲୁରରେ ଥିବା ହୋଟେଲକୁ ସ୍ଥାନାନ୍ତର କରିଛି; କିନ୍ତୁ ସେଠାରେ ମଧ୍ୟ ସେମାନେ ସୁରକ୍ଷିତ ନୁହଁନ୍ତି । ସେମାନଙ୍କୁ ଶାସକ ବିଜେପି ଦଳ ଟଂକାର ପ୍ରଲୋଭନ ଦେଖାଇ ହାତେଇବାକୁ ଚାହୁଁଛନ୍ତି ।
ଏହି କ୍ରମରେ ଆମର ବିଧାୟକମାନଙ୍କୁ ଶାସକ ବିଜେପି ଦଳର ପ୍ରାର୍ଥୀ ଦିଲୀପ ରାୟଙ୍କ ପକ୍ଷରୁ ୫ କୋଟି ଟଂକା ଯଚାଯାଇଛି ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ସାଂସଦ ଶ୍ରୀ ଉଲାକା ।
ଖାଲି ସେତିକି ନୁହେଁ ଏହି ଟଂକା ଦେବାପାଇଁ ଦିଲୀପ ୪ ଜଣ ଲୋକଙ୍କୁ ମଧ୍ୟ ବେଂଗାଲୁର ପଠାଇଛନ୍ତି । ସେମାନେ ଏଠାରେ ପହଂଚି ଆମ ବିଧାୟକଙ୍କୁ ୫ କୋଟି ଟଂକା ଲେଖାଏଁ ଦେଇ ଭୋଟିଂ ପୂର୍ବରୁ ଟ୍ରାପ କରିବାକୁ ବିଜେପି ଚେଷ୍ଟା କରୁଛି ବୋଲି ସପ୍ତଗିରି ଉଲାକା ଅଭିଯୋଗ କରିଛନ୍ତି ।