ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ସିପିଆଇ
ଖାଇବା ତେଲ ଓ ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ପ୍ରତିବାଦରେ ମଙ୍ଗଳବାର କଟକ ଜଗତପୁରଠାରେ ସିପିଆଇ ପକ୍ଷରୁ ବିକ୍ଷୋଭ କର୍ମସୂଚୀ ପାଳନ କରାଯାଇଥିଲା ।
ମଧ୍ୟପ୍ରାଚ୍ୟ ଯୁଦ୍ଧର ଆଳ ଦେଖାଇ ଦେଶର କିଛି ଅସାଧୁ ବ୍ୟବସାୟୀ ମୁନାଫା ଉଠାଇବା ପାଇଁ ଜାଣିଶୁଣି ଲୋକଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯଥା ଖାଇବା ତେଲ, ରନ୍ଧନ ଗ୍ୟାସ ଉପରେ ମନଇଚ୍ଛା ଦରବୃଦ୍ଧି କରୁଛନ୍ତି । ଅପରନ୍ତୁ ସାମଗ୍ରୀ ମହଜୁଦ ନାହିଁ ବୋଲି ଲୋକଙ୍କୁ କହୁଛନ୍ତି ।
ମୁଖ୍ୟତଃ କଳାବଜାରୀ ନିମିତ କେତେକ ଅସାଧୁ ବ୍ୟବସାୟୀ ଏଭଳି କରିବାଦ୍ୱାରା ସାଧାରଣ ଲୋକ ସମସ୍ୟାରେ ପଡ଼ୁଛନ୍ତି । ଏହି କ୍ଷେତ୍ରରେ ପୁଲିସ ପ୍ରଶାସନ କଡ଼ା ବ୍ୟବସ୍ଥା ଗ୍ରହଣ ନ କରିବା ହେତୁ ସେମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାକୁ ଲାଗିଛି ।
ତେଣୁ ଏହାର ପ୍ରତିକାର ଦାବିରେ ମଙ୍ଗଳବାର ଜଗତପୁର ଗୋଲେଇ ଛକ ନିକଟରେ ସିପିଆଇ ନେତା ଉଦୟ କେଶରୀ ବର୍ମାଙ୍କ ନେତୃତ୍ୱରେ ବହୁ ସମର୍ଥକ ଏକ୍ରିତ ହୋଇ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ ।
ପ୍ରତିବାଦ ସଭାରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଅମରେନ୍ଦୁ ମହାନ୍ତି, ନଗର କମିଟି ସମ୍ପାଦକ କମରେଡ ବିଦ୍ୟା ପ୍ରସନ୍ନ ମହାପାତ୍ର, ଯୁବନେତା ସୁନାକର ବରାଳ ପ୍ରମୁଖ ଯୋଗ ଦେଇଥିଲେ ।
ପରିସ୍ଥିତି ଯଦି ନ ସୁଧୁରେ ଏବଂ କଳାବଜାରୀଙ୍କ ବିରୋଧରେ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରା ନଯାଏ ତେବେ ଏହି ପ୍ରତିବାଦ କର୍ମସୂଚୀକୁ ଆହୁରି ଜୋରଦାର କରାଯିବ ବୋଲି ନେତା ଓ ସମର୍ଥକମାନେ କହିଛନ୍ତି ।