ପୁଣି ଅଘଟଣରୁ ଅଳ୍ପକେ ବର୍ତିଲା ଏସସିବି
ନନ ଟ୍ରମା କେୟାରରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ
ଗତ ସୋମବାରରେ ଏସସିବିର ଟ୍ରମା କେୟାରରେ ହୋଇଥିବା ଅଗ୍ନିକାଣ୍ଡର ଭୟାବହତା ଲୋକଙ୍କ ମନରୁ ଲିଭିନଥିବାବେଳେ ବୁଧବାର ପୁଣି ଏଠାରେ ଆଉ ଏକ ଅଘଟଣ ଘଟିବାକୁ ଯାଉଥିଲା । ତେବେ ଭଗବାନଙ୍କ କୃପାରୁ କୌଣସିି କ୍ଷୟକ୍ଷତି ହେବା ପୂର୍ବରୁ ଏହାକୁ ନିୟନ୍ତ୍ରଣ କରାଯାଇପାରିଛି ।
ବୁଧବାର ସକାଳେ ଏସସିବିର ନନ ଟ୍ରମା କେୟାରରେ ହୋଇଥିଲା ସର୍ଟସର୍କିଟରୁ ଅଗ୍ନିକାଣ୍ଡ । ନନ ଟ୍ରମା କେୟାରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଇଲେକ୍ଟି୍ରକବୋର୍ଡ ଜଳିଯାଇଥିଲା । ତେବେ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅଗ୍ନିଶମ କର୍ମଚାରୀ ଏହାକୁ ଆୟତ କରିଥିଲେ । ଏହି ସମୟରେ ନନ ଟ୍ରମା କେୟାରରେ ଶତାଧିକ ରୋଗୀ ଚିକିତ୍ସିତ ହେଉଥିଲେ ।
ସୂଚନାଥାଉ କି, ଗତ ସୋମବାର ଏସସିବିର ଟ୍ରମା କେୟାରରେ ଘଟିଥିବା ଅଗ୍ନିକାଣ୍ଡରେ ୧୨ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଥିଲେ । ଏଯାବତ ସେମାନେ ଚିକିତ୍ସିତ ହେଉଛନ୍ତି । ଏହି ଭୟାବହ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଆଜିର ଘଟଣାକୁ ନେଇ ଲୋକେ, ରୋଗୀ ଏବଂ ଆଟେଣ୍ଡାଂଟ ଆତଙ୍କିତ ହୋଇପଡ଼ିଛନ୍ତି ।
ଯଦି ଏଭଳି ଅଘଟଣ ଏସସିବିରେ ଲାଗି ରୁହେ ତା’ହେଲେ ଏଠାକୁ ଚିକିତ୍ସା ନିମନ୍ତେ ଆସିବା କେତେଦୂର ସୁରକ୍ଷିତ ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି ।