ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବାମମୋର୍ଚା
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ
ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଏକ ସମୟରେ ବାମମୋର୍ଚାର ଗଡ଼ ଭାବେ ପରିଚିତ ପଶ୍ଚିମବଙ୍ଗ ସଂପ୍ରତି ତୃଣମୂଳ କଂଗ୍ରେସ ଦଖଲରେ ରହିଥିଲେ ସୁଦ୍ଧା ବାମ ସମର୍ଥକଙ୍କ ଅଭାବ ଏବେବି କମି ନାହିଁ ।
ଆସନ୍ନ ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ, ବିଜେପି ପ୍ରମୁଖ ସେମାନଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଥିବାବେଳେ ବାମମୋର୍ଚା ଆଜି ତାର ଦ୍ୱିତୀୟ ଦଫା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ଦଫାରେ ୧୯୨ ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବାବେଳେ ଗରୁବାର ଦ୍ୱିତୀୟ ଦଫାରେ ମୋଟ ୩୨ଟି ଆସନରେ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି ।
ଘୋଷିତ ପ୍ରାର୍ଥୀ ତାଲିକାରେ ଯେଉଁ ଗୁରୁତ୍ୱପୂର୍ଣ୍ଣ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ସେଗୁଡ଼ିକ ହେଲା ଜୟନଗରରୁ ଅଧିର ପ୍ରାମାଣିକ, ରାଣିନଗରରୁ ସିପିଆଇଏମ୍ ପ୍ରାର୍ଥୀ ଜାମାଲ ହୋସେନ, ଟଲିଗଞ୍ଜରୁ ସିପିଆଇଏମ୍ ପ୍ରାର୍ଥୀ ପାର୍ଥପ୍ରତିମ ବିଶ୍ୱାସ, ଚାଁଚଲରୁ ସିପିଆଇଏମ୍ ପ୍ରାର୍ଥୀ ଆନାରୁଲ ହକ, କୁଳତଳିରୁ ଅର୍ଚନା ବିଶ୍ୱାସ, ଭବାନୀପୁରରୁ ସିପିଆଇଏମ୍ ପ୍ରାର୍ଥୀ ଶ୍ରୀଜୀବ ବିଶ୍ୱାସ, ବାଲିଗଞ୍ଜରୁ ଆଫରିନ ବେଗମ, ବସିରହାଟରୁ ସିପିଆଇଏମ୍ ପ୍ରାର୍ଥୀ ଆଇନୁଲ ଆଫରିନ, ଡାଇମଣ୍ଡ ହାରବରରୁ ସିପିଆଇଏମ୍ ପ୍ରାର୍ଥୀ ସମରେନ୍ଦ୍ରନାଥ ନାଇୟା, ନୟାଗ୍ରାମରୁ ସିପିଆଇଏମ୍ ପ୍ରାର୍ଥୀ ପୁଲିନ ବିହାରୀ ବାସ୍କେ, ପାଁଶକୁଡ଼ା ପୂର୍ବ ସିପିଆଇଏମ୍ ପ୍ରାର୍ଥୀ ଇବ୍ରାହିମ ଅଲି, ଗୋପୀବଲ୍ଲଭପୁରରୁ ସିପିଆଇଏମ୍ ପ୍ରାର୍ଥୀ ବିକାଶ ଷଡ଼ଙ୍ଗୀ ରହିଛନ୍ତି ।
ଆଜିର ଘୋଷିତ ୩୨ଟି ଆସନ ମଧ୍ୟରୁ ଆର୍ଏସ୍ପିର ଜଣେ, ସିପିଆଇରୁ ୩ଟି ଓ ଅନ୍ୟ ଆସନଗୁଡ଼ିକରେ ସିପିଏମ୍ ପ୍ରାର୍ଥୀ ରହିଛନ୍ତି ।
ନନ୍ଦିଗ୍ରାମ, ଗୋପୀବଲ୍ଲଭପୁର, ଆସାନସୋଲ ଉତରରେ ସିପିଆଇ ପ୍ରାର୍ଥୀ ରହିଥିବାବେଳେ କାଳଚିନିରେ ଆରଏସ୍ପି ପ୍ରାର୍ଥୀ ରହିଛନ୍ତି ।
ସେହିପରି ୩୨ଟି ଆସନ ମଧ୍ୟରୁ ୧୧ଜଣ ସଂଖ୍ୟାଲଘୁ ସମ୍ପଦ୍ରାୟର ଥିବାବେଳେ ୩ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।