ପ୍ରଭାତ ବିଶ୍ୱାଳ ଓ ବିଜେଡି ମଧ୍ୟରେ ‘କର୍ପୋରେଟର ଟଣାଓଟରା’
ନବୀନ ନିବାସରେ କଟକ କର୍ପୋରେଟରଙ୍କ ମେଳି
ଗତ ମାର୍ଚ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକୁ ନ ମାନି ୮ ଜଣ ବିଧାୟକ ରାଜ୍ୟସଭାର ୪ର୍ଥ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କ ଭୋଟିଂ କରିଥିଲେ ।
ଫଳରେ ଦିଲୀପ ରାୟଙ୍କ ଠାରୁ ଏହି ଆସନ ପାଇଁ ଲଢ଼ୁଥିବା ବିଜେଡି-କଂଗ୍ରେସ କମନ ପ୍ରାଥୀ ଦତେଶ୍ୱର ହୋତା ପରାସ୍ତ ହୋଇଥିଲେ ।
ଏଥିପାଇଁ ପିଏସି କମିଟିର ସୁପାରିଶ କ୍ରମେ ନବୀନ ପଟନାୟକ ପ୍ରଥମ ପର୍ଯ୍ୟାୟରେ ୬ ଜଣ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ।
ଏଥିରେ ଅଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୁଅ ତଥା ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଏବଂ ବାଙ୍କୀ ପୂର୍ବତନ ବିଧାୟକ ପ୍ରଭାତ ରଂଜନ ତି୍ରପାଠୀଙ୍କ ପୁତ୍ର ତଥା ବାଙ୍କୀର ଯୁୁବ ବିଧାୟକ ଦେବୀ ରଂଜନ ତ୍ରିପାଠୀ । ଏହାର ପ୍ରତିବାଦରେ ନିକଟରେ ଚୌଦ୍ୱାର-କଟକ ବିଧାନସଭା ମଣ୍ଡଳୀର ୧୪ ଜଣ କର୍ପୋରେଟର ବିଜେଡି ଛାଡ଼ିବାକୁ ଧମକ ଦେଇଥିଲେ ।
ଫଳରେ ବିଜେଡିଗଡ଼ ଭୁଶୁଡ଼ିବା ଭଳି ଅବସ୍ଥା ଉପୁଜିଛି ।
ଏହାକୁ ଗୁରୁତର ସହ ନେଇ ସୋମବାର ବିଜେଡି ସୁପି୍ରମୋ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଅସନ୍ତୁଷ୍ଟ ବିଜେଡି କର୍ପୋରେଟମାନେ ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ନେତୃତ୍ୱରେ ନବୀନ ନିବାସରେ ମେଳି ହୋଇଛନ୍ତି ।
ସେମାନେ ବିଜୁ ଲିଗାସୀ ନୁହେଁ ବରଂ ନବୀନ ବାବୁଙ୍କ ଉପରେ ଆସ୍ଥା ରଖିଛନ୍ତି ବୋଲି କହିଛନ୍ତି । ଯାହାବି ହେଉ ସେମାନେ ବିଜେଡି ଓ ନବୀନ ବାବୁଙ୍କ ସହିତ ଥିଲେ ଓ ରହିବେ ବୋଲି କହିଛନ୍ତି ।
ତେବେ ଏହାପରେ ଏବେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଜେଡି ମଧ୍ୟରେ କର୍ପୋରେଟରଙ୍କୁ ନେଇ ଚାଲିଥିବା ଟଣା ଓଟରା କେଉଁ ଦିଗକୁ ଯାଉଛି ତାହା ଦେଖିବା ବାକି ରହିଲା ।