ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ପରିବାର ପକ୍ଷରୁ ସିବିଆଇ ତଦନ୍ତ ଦାବି
ଫୁଲବାଣୀ ମଣ୍ଡଳ କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ମାତ୍ର ଏହା ମୃତ୍ୟୁ ନୁହେଁ ବରଂ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତ କଏଦୀ ହେରାନ ବେହେରାଙ୍କ ପରିବାର ଲୋକେ ।
ସେମାନେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅ ହେରାନକୁ ଚରସ ଲିଂକରେ ସୁନିୟୋଜିତ ଭାବେ କାରାଗାର ମଧ୍ୟରେ ହତ୍ୟା କରାଯାଇଛି ।
ଏ ନେଇ କନ୍ଧମାଳ, ଫୁଲବାଣୀ ମିଳିତ ମଂଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି । ପରିବାର ପକ୍ଷରୁ ଆହୁରି ଅଭିଯୋଗ କରାଯାଇଛି ଯେ, ଏକ ଚୋରି ଅଭିଯୋଗରେ ପୁଅକୁ ପୁଲିସ ଉଠାଇ ନେଇଥିଲା । ଜଣଙ୍କ ବ୍ୟାଗ ଚୋରି କରିନେଇଥିବା ଅଭିଯୋଗରେ ପୁଅକୁ ପୁଲିସ ଟେକି ନେଇ ପଚରା ଉଚରା କରିବାକୁ ରଖିଥିଲା ।
୧୪ ତାରିଖ ସନ୍ଧ୍ୟାରେ ହେରାନଙ୍କ କୋର୍ଟ ଚାଲାଣ ପରେ ତାଙ୍କୁ ଫୁଲବାଣୀ ମଣ୍ଡଳ କାରାଗାରରେ ପୁଲିସ କଏଦ କରି ରଖିଥିବାବେଳେ ସେଠାରେ ହେରାନଙ୍କ ମୃତ୍ୟୁ ହୋଇଥିଲା ।
ତେବେ ମୃତକ ହେରାନ ଛଡ଼ାଇ ଆଣିଥିବା ବ୍ୟାଗ କାହାର? ଓ ବ୍ୟାଗରେ ଥିବା ଧଳା ରଙ୍ଗର ପଦାର୍ଥ କ’ଣ ବୋଲି ପରିବାରଲୋକେ ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇ ହେରାନଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରିଛନ୍ତି ।