ଭୁବନେଶ୍ୱରରେ ବିହାରୀ ଲେବରଙ୍କ ରାସ୍ତାରୋକ
ପ୍ରାୟ ୪ ମାସ ହେବ ମିଳିନି ପାଉଣା
କରିଥିବା କାମର ମଜୁରୀ ନ ମିଳିବାରୁ ଉତ୍ପାତ ମଚାଇଛନ୍ତି କିଛି ବିହାରୀ ଶ୍ରମିକ । ଗତ କାଲି ସୋମବାର ବିଳମ୍ବିତ ରାତିରେ କଳିଙ୍ଗ ହସ୍ପିଟାଲରୁ ସୈନିକ ସ୍କୁଲକୁ ଯିବା ରାସ୍ତାରେ ଟ୍ରାକ୍ଟର ଥୋଇ ଏହାକୁ ବିହାରୀ ଶ୍ରମିକମାନେ ବନ୍ଦ କରିଦେଇଥିଲେ ।
ଏଥିସହ ରାସ୍ତାକାମରେ ବ୍ୟବହୃତ ଅନ୍ୟାନ୍ୟ ଭାରୀ ଯାନବାହାନକୁ ମଧ୍ୟ ରଖି ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ରଖିଥିଲେ ।
ସେମାନଙ୍କୁ ଡାକି କାମରେ ଲଗାଇଥିବା ଠିକା କମ୍ପାନୀ ଉପରେ ରାଗ ରଖି ଏହି ବିହାରୀ ଶ୍ରମିକମାନେ ଏଭଳି ରାସ୍ତାରୋକ କରିଥିଲେ ।
ପ୍ରାୟ ଦେଢ଼ଘଂଟା କାଳ ରାସ୍ତା ଅବରୋଧ କରିବାରୁ ସମ୍ପୂର୍ଣ୍ଣ ଯାନବାହାନ ଚଳାଚଳ ଠପ ହୋଇଯାଇଥିଲା । ଏପରିକି ସେମାନେ ଆମ୍ବୁଲାନ୍ସକୁ ମଧ୍ୟ ରାସ୍ତା ଛାଡ଼ିନଥିଲେ ।
ଇନେ୍ଦାରର ଏକ ଠିକା ସଂସ୍ଥା ଏହି ରାସ୍ତା ନିର୍ମାଣ କାମ କରୁଥିବାବେଳେ ପ୍ରାୟ ୪ ମାସ ହେବ ଶ୍ରମିକଙ୍କୁ ସେମାନଙ୍କ ପାଉଣା ଦେଇନଥିବାରୁ ଶ୍ରମିକମାନେ ଏହାର ପ୍ରତିବାଦରେ ଏଭଳି ରାସ୍ତାରୋକ କରିଛନ୍ତି ।
ପରେ ରାସ୍ତା ଅବରୋଧ କରିଥିବା ଏହି ବିହାରୀ ଶ୍ରମିକଙ୍କୁ ପୁଲିସ ଉଠାଇ ନେବାରୁ ଯାତାୟାତ ସ୍ୱାଭାବିକ ହୋଇଥିଲା ।