ମନ୍ତ୍ରୀ ଗିରିଶ ମହାଜନଙ୍କୁ ଝାଡ଼ିଲେ ମହିଳା
ବୁଧବାର ମୁମ୍ବାଇର ବ୍ୟସ୍ତବହୁଳ ଓର୍ଲି ଅଂଚଳରେ ଶାସକ ଭାରତୀୟ ଜନତା ପାର୍ଟିର ଏକ ପ୍ରତିବାଦ ଶୋଭାଯାତ୍ରା ଯୋଗୁଁ ଟ୍ରାଫିକ୍ ଜାମ ସୃଷ୍ଟି ହୋଇଥିବାବେଳେ ଜଣେ ସାଧାରଣ ମହିଳାଙ୍କ ଆକ୍ରୋଶରେ ଶିକାର ହୋଇଛନ୍ତି ମହାରାଷ୍ଟ୍ର ଜଳସମ୍ପଦ ମନ୍ତ୍ରୀ ଗିରିଶ ମହାଜନ ।
ମହିଳା ଜଣକ ନିଜ ପିଲାଙ୍କୁ ସ୍କୁଲରୁ ଆଣିବାକୁ ଯାଉଥିବା ସମୟରେ ଘଂଟା ଘଂଟା ଧରି ରାସ୍ତାରେ ଅଟକି ରହିବାଦ୍ୱାରା ଧୈର୍ଯ୍ୟହରା ହୋଇ ଗାଡ଼ିରୁ ଓହ୍ଲାଇ ସିଧାସଳଖ ମନ୍ତ୍ରୀ ଓ ପୁଲିସ କର୍ତୃପକ୍ଷଙ୍କ କଡ଼ା ଭାଷାରେ ସମାଲୋଚନା କରିଥିଲେ । ମହିଳା ଜଣକ କହିଥିଲେ ଯେ ‘ଏଠାରୁ ତୁରନ୍ତ ବାହାରିଯାଅ’ ।
ଆପଣମାନଙ୍କ ରାଜନୈତିକ କାର୍ଯ୍ୟକ୍ରମ ପାଇଁ ସାଧାରଣ ଜନତା ହଇରାଣ ହେଉଛନ୍ତି, ଯାହାକୁ ତୁରନ୍ତ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ।
ସେ ଆହୁରି କହିଥିଲେ ଯେ ନିକଟରେ ଏକ ବଡ଼ ପଡ଼ିଆ ରହିଥିଲେ ସୁଦ୍ଧା ରାସ୍ତା ଜାମ କରି କାହିଁକି ଏଭଳି କରାଯାଉଛି ।
ମହିଳାଜଣକ ମନ୍ତ୍ରୀଙ୍କ ସହ ଯୁକ୍ତିତର୍କ କରିବ ସହ ହସ୍ତକ୍ଷେପ କରୁଥିବା ପୁଲିସ ଅଧିକାରୀଙ୍କ ଉପରେ ବର୍ଷିଥିଲେ ଏବଂ ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ ଡାକିବାକୁ ଜିଦ୍ କରିଥିଲେ । ପରେ ପୁଲିସ ସେହି ମହିଳାଙ୍କୁ ରାସ୍ତା କଡ଼କୁ ନେଇ ବୁଝାସୁଝା କରିଥିବା ଦେଖାଯାଇଥିଲା । ଜଣାପଡ଼ିଛି ଯେ ମହିଳା ସଂରକ୍ଷଣ ବିଲ ପାସ ନ ହେବା ପ୍ରତିବାଦରେ ବିଜେପି ପକ୍ଷରୁ ‘ମହାୟୁତି’ ରାଲିର ଆୟୋଜନ କରାଯାଇଥିଲା ।
ଯାହାଦ୍ୱାରା ଟ୍ରାଫିକ୍ ଜାମ ହୋଇଥିଲା ।