୭୬ହଜାର ବିଚାରାଧୀନ ମାମଲାର ତ୍ୱରିତ ଶୁଣାଣି ଉପରେ ନିର୍ଦେଶ
ରାଜସ୍ୱ ପର୍ଷଦର ସଦସ୍ୟ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ୪୧ଗୋଟି ରିଭିଜନାଲ କୋର୍ଟର କାର୍ଯ୍ୟ ସମ୍ପାଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଏକ ସମୀକ୍ଷା ବୈଠକ ସମସ୍ତ ପ୍ରିଜାଇଡିଂ ଅଫିସରମାନଙ୍କ ସହ ଅନୁଷ୍ଠିତ ହୋଇଛି ।
ଏହି ସମୀକ୍ଷା ବୈଠକରେ କଟକ ଓ ଭୁବନେଶ୍ୱରରେ ଥିବା କୋର୍ଟ ଗୁଡ଼ିକର ପ୍ରିଜାଇଡିଂ ଅଫିସରମାନେ ଯୋଗ ଦେଇଥିଲେ ଏବଂ ରାଜସ୍ୱ ବିଭାଗ ତରଫରୁ ଅତିରିକ୍ତ ସଚିବ, ଶ୍ରୀ ଜଗନ୍ନାଥ ମହାପ୍ରଭୁ ଓ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ପ୍ରଶାସନର ରାଜସ୍ୱ ଅଧିକାରୀ, ରାଜସ୍ୱ ଆୟୁକ୍ତ, ବିଭିନ୍ନ ଜିଲାର ଜିଲାପାଳ ଓ ଅତିରିକ୍ତ କମିସନରମାନେ ଦୃଶ୍ୟସଂଚାରୀ ମାଧ୍ୟମରେ ଯୋଗ ଦେଇଥିଲେ ।
ସାଧାରଣ ଜନତାଙ୍କୁ ଜମିଜମା ସମ୍ବନ୍ଧୀୟ ମାମଲା ଗୁଡ଼ିକରେ ତ୍ୱରାନ୍ୱିତ ନ୍ୟାୟ ପ୍ରଦାନ ପାଇଁ ଶ୍ରୀ ସାହୁ ଗୁରୁତ୍ୱାରୋପ କରିବା ସହ କୋର୍ଟଗୁଡ଼ିକର ସୁପରିଚାଳନାର ସୁବିସ୍ତୃତ ସମୀକ୍ଷା କରିଛନ୍ତି ।
ଉପବିଭାଗ ତଥା ତହସିଲ, ବନେ୍ଦାବସ୍ତ ଇତ୍ୟାଦି କାର୍ଯ୍ୟାଳୟମାନଙ୍କୁ ମଗାଯାଉଥିବା ପାରାୱାଇଜ ରିପୋର୍ଟ / ନିମ୍ନ ଅଦାଲତ କାଗଜାତଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଭାବେ ଯଥାଶୀଘ୍ର ରିଭିଜନ କୋର୍ଟଗୁଡ଼ିକରେ ଉପସ୍ଥାପନା କରିବା ପାଇଁ ଶ୍ରୀ ସାହୁ ନିର୍ଦେଶ ଦେଇଛନ୍ତି ।
ଅତିକମରେ ସପ୍ତାହରେ ୩ଦିନ ରିଭିଜନ କୋର୍ଟ କରିବା ପାଇଁ ସମସ୍ତ ପ୍ରିଜାଇଡିଂ ଅଫିସରମାନଙ୍କୁ ନିର୍ଦେଶ ଦିଆଯାଇଛି ।
ରିଭିଜନ କୋର୍ଟର ପ୍ରିଜାଇଡିଂ ଅଫିସରମାନଙ୍କୁ ତାଙ୍କ କୋର୍ଟରେ ପଡ଼ି ରହିଥିବା ମାମଲାଗୁଡ଼ିକୁ ନ୍ୟାୟିକ ଭିତିରେ ଶୀଘ୍ର ଫଇସଲା କରିବା ପାଇଁ ରାଜସ୍ୱ ପର୍ଷଦ ନିର୍ଦେଶ ଦେଇଛନ୍ତି ।
ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ବିଭିନ୍ନ ସମୟରେ ଆସୁଥିବା ନିର୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ଦିଆଯାଇଛି ।