ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ନେଇଁ ମୁହାଁମୁହିଁ
ସ୍ୱତନ୍ତ୍ର ଅଧିବେଶନ ଡାକି ସରକାର ଡ୍ରାମା କରୁଛନ୍ତି : ଅରୁଣ
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନକୁ ନେଇ ଏବେ ଶାସକ ବିଜେପି ଓ ବିରୋଧୀ ବିଜେଡି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ସ୍ୱତନ୍ତ୍ର ଅଧିବେଶନ ଡାକି ରାଜ୍ୟ ସରକାର ଡ୍ରାମା କରୁଛନ୍ତି ବୋଲି ବିଜେଡି ବିଧାୟକ ଅରୁଣ ସାହୁ କଟାକ୍ଷ କରିଛନ୍ତି ।
କୌଣସି କାରଣ ନଥାଇ ବିଳମ୍ବରେ ଅଧିବେଶନ କାହିଁକି ଡାକିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏଥିପୂର୍ବରୁ ମହିଳା ବିଲ ଆସିବା ପୂର୍ବରୁ କାହାସହିତ ଆଲୋଚନା ନ କରି ସରକାର ବିଲ ଆଣିଥିଲେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ସଂସଦରେ ବିଲ ଆସିବା ପୂର୍ବରୁ ବିଜେପି ଏନେଇ ଅନେକ ପ୍ରଚାର ମଧ୍ୟ କରିଥିବାବେଳେ ଏବେ ବିଧାନସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକି ସରକାର ଡ୍ରାମା କରୁଛନ୍ତି ବୋଲି ବିଜେଡି ବିଧାୟକ ଶ୍ରୀ ସାହୁ କହିଛନ୍ତି ।
ଅନ୍ୟପଟେ ବିଧାୟକଙ୍କ କଟାକ୍ଷର ଜବାବ ରଖିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣକୁ ବିରୋଧୀ କାହିଁକି ବିରୋଧ କଲେ ସେ ସଂକ୍ରାନ୍ତରେ ଆଲୋଚନା ପାଇଁ ଏହି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ।
ମହିଳାଙ୍କୁ ଯେଉଁ ରାଜ୍ୟ ଯେତେ ପ୍ରାଧାନ୍ୟତା ଦେଉଛି ସେ ରାଜ୍ୟ ସେତେ ଆଗୁଆ ।
କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଏହି ପ୍ରସ୍ତାବକୁ ଯେଭଳି ଭାବେ ବିରୋଧୀମାନେ ବିରୋଧ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ । ବିଜେଡି ତା’ ସମୟରେ ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ବୋଲି ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ଶ୍ରୀ ମଲ୍ଲିକ ।
ଗାଁକୁ କାମ, ମା’କୁ ସମ୍ମାନ ବୋଲି କେବଳ ନାରାବାଜି କରୁଥିଲେ; କିନ୍ତୁ ପ୍ରକୃତରେ ନାରୀଙ୍କୁ ନିର୍ଯାତନା ଦିଆଯାଉଥିଲା । ସେମାନେ କରିପାରୁନଥିଲେ; ମାତ୍ର ଏବେ ବିଜେପି କରିପାରୁଥିବାରୁ ବିରୋଧୀ ସହିପାରୁନାହାନ୍ତି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ତାଙ୍କ ଉତରରେ କହିଛନ୍ତି ।