ଯୌତୁକ ପାଇଁ ବଧୂ ହତ୍ୟା
ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ, ସ୍ୱାମୀ ଅଟକ
ଏବେ ବି ସମାଜରେ ବଂଚି ରହିଛି ଯୌତୁକ ଭଳି ଏକ ଘୃଣିତ ପ୍ରଥା । ନୂଆ କରି ବାହା ହୋଇଆସିଥବିା ବଧୂକୁ ତା’ ବାପଘରୁ ଅଧିକ ଟଙ୍କା ବା ଜିନିଷ ଆଣିବା ପାଇଁ ଶଶୂର ଘର ଲୋକେ ଯେଉଁଛନ୍ତି ନିର୍ଯାତନା । ପୁଣି କେତେକ କ୍ଷେତ୍ରରେ ଏଥିପାଇଁ ବଧୂହତ୍ୟା ଭଳି ସଂଗୀନ ଅପରାଧ ମଧ୍ୟ ଘଟୁଛି ।
ଏହିଭଳି ଏକ ଅଭାବନୀୟ ଘଟଣା ଆଜି କେନ୍ଦ୍ରାପଡ଼ାରେ ଘଟିଛି ।
ଅଧିକ ଯୌତୁକ ପାଇଁ ନବବଧୂକୁ ପୋଡ଼ି ମାରିଦେଇଛନ୍ତି ଶଶୂର ଘର ଲୋକେ ।
ଘଟଣାରୁ ପ୍ରକାଶ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ବେଣାକନ୍ଦା ଗାଁରେ ସୁଲେଖା ମଣ୍ଡଳଙ୍କୁ ଯୌତୁକ ପାଇଁ ତାଙ୍କ ଶାଶୂଘର ଲୋକେ ପୋଡ଼ି ମାରି ଦେଇଥିବା ମୃତ ଯୁବତୀଙ୍କ ବାପାଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି ।
ସୁଲେଖାଙ୍କ ବାପଘର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ୩ ବର୍ଷ ତଳେ ତାଙ୍କ ଝିଅ ସୁଲେଖାଙ୍କ ବେଣାକନ୍ଦା ଗାଁର ବିଶ୍ୱଜିତ ମଣ୍ଡଳଙ୍କୁ ବିବାହ କରିଥିଲେ । ବିବାହ ପର ଠାରୁ ବିଶ୍ୱଜିତ ସବୁବେଳେ ବାପଘରୁ ଅଧିକ ଟଙ୍କା ଆଣିବା ଲାଗି ପତ୍ନୀ ସୁଲେଖାଙ୍କ ଉପରେ ଚାପ ପକାଇବା ସହ ତାଙ୍କୁ ମାରଧର କରୁଥିଲେ ।
ଗତ କାଲି ସୁଲେଖା କିଛି ଟଙ୍କା ବିଶ୍ୱଜିତଙ୍କୁ ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ବିଶ୍ୱଜିତ ରାଗି ଯାଇ ସୁଲେଖାଙ୍କୁ ମାରଧର କରିଥିଲେ । ଏନେଇ ସୁଲେଖା ମଧ୍ୟ ଫୋନ ଯୋଗେ ତାଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ ।
ବାପଘର ଲୋକେ ମଧ୍ୟ ଶନିବାର ସନ୍ଧ୍ୟାରେ ପହଂଚି ଆପୋଷ ମିଳାମିଶା କରାଇ ଫେରିଆସିଥିଲେ; କିନ୍ତୁ ମଧ୍ୟରାତ୍ରରେ ‘ତୁମ ଝିଅ ସୁଲେଖା ପୋଡ଼ି ହୋଇମରିଯାଇଛି’ ବୋଲି ଫୋନ ଯୋଗେ ଜ୍ୱାଇଁ ବିଶ୍ୱଜିତ ଜଣାଇଥିଲେ; ମାତ୍ର ଏହା ଅଗ୍ନିକାଣ୍ଡ ଜନିତ ମୃତ୍ୟୁ ନୁହେଁ ବରଂ ତାଙ୍କ ଝିଅ ସୁଲେଖାକୁ ଅଧିକ ଯୌତୁକ ପାଇଁ ଜ୍ୱାଇଁ ବିଶ୍ୱଜିତ ପୋଡ଼ି ମାରିଦେଇଥିବା ବାପଘର ଲୋକେ ଥାନାରେ ଏତଲା ଦେଇଛନ୍ତି ।
ଏତଲାକୁ ଭିତି କରି ପୁଲିସ ଘଟଣାସ୍ଥଳରେ ପହଂଚି ଏକ ପଡ଼ିଆ ମଧ୍ୟରେ ଥିବା କୁଟାଗଦାରୁ ସୁଲେଖାଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏକ ମାମଲା ରୁଜୁ କରି ସ୍ୱାମୀ ବିଶ୍ୱଜିତକୁ ଅଟକ ରଖିଛି ।
ସୂଚନାଥାଉ କି ମୃତ ସୁଲେଖାଙ୍କ ଏକ ୨ ବର୍ଷର ଶିଶୁପୁତ୍ର ଏବେ ମାତୃହରା ହୋଇଯାଇଛି ।