ମଙ୍ଗଳବାରରୁ କାଳବୈଶାଖୀ
ରାଜ୍ୟରେ ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ସ୍ଥିତି ଜାରି ରହିଛି ।
ଆଭ୍ୟନ୍ତରୀଣ ଓଡ଼ିଶା ବିଶେଷ କରି ପଶ୍ଚିମାଂଚଳରେ ଥିବା ଅନେକ ଜିଲାରେ ତାତି ଦୃଷ୍ଟାନ୍ତମୂଳକ ଭାବେ ବୃଦ୍ଧି ପାଇ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହୋଇଛି ।
ଏହା ସହିତ ଉପକୂଳରେ ତାତି ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଲୋକେ ତାତିରୁ ମୁକ୍ତି ପାଇଁ ଚାହିଁ ବସିଛନ୍ତି । ତେବେ ଏଭଳି ସ୍ଥିତି ଆଗାମୀକାଲିଠୁ ଅର୍ଥାତ ମଙ୍ଗଳବାରରୁ ଦେଖାଦେଇପାରେ । କାରଣ ପାଣିପାଗରେ ପରିବର୍ତନ ଘଟିବାର ସମ୍ଭାବନା ଦେଖାଦେଇଛି । ସମ୍ଭବତଃ ୨୮ କିମ୍ବା ୨୯ରୁ ୨ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଝଡ଼ ସୃଷ୍ଟି ହେବା ଆଶଙ୍କା କରାଯାଉଛି ।
ଆଜି ରାଜ୍ୟର ଉପକୂଳବର୍ତୀ ଜିଲା ଯଥା ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଦା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲାରେ ପ୍ରବଳ ଗୁଳୁଗୁଳି ହେବା ପାଣିପାଗ କେନ୍ଦ୍ର ଆକଳନ କରିଛି । ସେହିପରି ତାତି ମଧ୍ୟ ୪୪ଡିଗ୍ରୀ ପର୍ଯ୍ୟନ୍ତ ହୋଇପାରେ ।
ହେଲେ ୨୮ପରଠୁ ବିହାରରୁ ମହାରାଷ୍ଟ୍ର ଯାଏ ଏକ ନିମ୍ନଚାପ ରେଖା ପ୍ରଭାବରେ ବଙ୍ଗୋପସାଗରର ଅଂଚଳରୁ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ ସହ ଏହା ଉତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶୀଳ ହେବ ଓ ଅତି ବିପଦଜନକ କାଳବୈଶାଖୀ ପ୍ରକ୍ରିୟା ସୃଷ୍ଟି କରିବାର ସହାୟକ ହେବ ।
ଯାହାଦ୍ୱାରା ସମ୍ଭବତଃ ୨୮ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ତେଣୁ ସାଧାରଣ ମତ୍ସ୍ୟଜୀବୀ ଯେପରି ସମୁଦ୍ର ମଧ୍ୟକୁ ନ ଯିବେ ସେଥିପାଇଁ ପାଣିପାଗ ବିଶେଷଜ୍ଞ ସଞ୍ଜିବ ଦ୍ୱିବେଦୀ ସତର୍କ କରାଇଛନ୍ତି ।
ଯାହାଦ୍ୱାରା ଏହି କିଛିଦିନ ୨ରୁ ୩ଡିଗ୍ରୀ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଦେଖାଦେଇଛି ।