ପ.ବଙ୍ଗ ମିଠାରେ ରାଜନୈତିକ ସ୍ୱାଦ
ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆଉ ମାତ୍ର ଦିନକ ପରେ । ତେଣୁ ଦଳୀୟ ପ୍ରଚାରକୁ ନେଇ କଲକାତା ସହ ରାଜ୍ୟର ବିଭିନ୍ନ ବିଧାନସଭା କ୍ଷେତ୍ର ସରଗରମ ହୋଇ ଉଠିଛି ।
ଏହି କ୍ଷେତ୍ରରେ ସାଧାରଣଙ୍କ ମନରେ ଉତ୍ସାହ ମଧ୍ୟ ଦ୍ୱିଗୁଣିତ ହୋଇଥିବା ପରିଲକ୍ଷିତ ହୋଇଛି । କେବଳ ରାଲି, ଭାଷଣ କିମ୍ବା ରାଜନୈତିକ ସ୍ଲୋଗାନ ନୁହେଁ, ସଂପ୍ରତି କଲକାତାର ପ୍ରସିଦ୍ଧ ମିଠାରେ ମଧ୍ୟ ଦଳୀୟ ସ୍ୱାଦ ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି ।
କାରଣ ଦେଖାଯାଇଛି ଯେ କଲକାତାର ବିଭିନ୍ନ ମିଠା ଦୋକାନରେ ରଙ୍ଗ ବେରଙ୍ଗର ସ୍ୱାଦିଷ୍ଟ ମିଠା ବିକ୍ରି ହେଉଥିବାବେଳେ କେତେକ ମିଠାରେ ରାଜନୈତିକ ଦଳର ନିର୍ବାଚନ ଚିହ୍ନ କରାଯାଇ ବିକ୍ରି କରାଯାଉଛି । ଯାହାକି ସାଧାରଣଙ୍କୁ ବିଶେଷ ଭାବେ ଆକର୍ଷିତ କରୁଛି ।
ଶାସକ ଦଳ ତୃଣମୂଳ କଂଗ୍ରେସ, ବିଜେପି, କଂଗ୍ରେସ ଓ ବାମପନ୍ଥୀ ଦଳଗୁଡ଼ିକର ବିଭିନ୍ନ ଚିହ୍ନକୁ ନେଇ ମିଠା ତିଆରି କରାଯାଇଛି । ଯେଉଁ ଗ୍ରାହକମାନେ ଦୋକାନକୁ ଆସୁଛନ୍ତି, ସେମାନେ ଏହି ମିଠାକୁ ଦେଖି ବିଶେଷ ଆକର୍ଷିତ ହେଉଥିବା ଦେଖାଯାଏ । ମୂଳତଃ ନିର୍ବାଚନ ସକାଶେ ଏଭଳି ମିଠା ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।
ଏହି ପରିପ୍ରେକ୍ଷୀରେ ଦୋକାନୀ ମାଲିକମାନେ କୁହନ୍ତି ଯେ ଏହି ପଦକ୍ଷେପ ପଛରେ ତାଙ୍କର ଉଦେ୍ଦଶ୍ୟ କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ପ୍ରୋତ୍ସାହିତ କରିବା କିମ୍ବା ସମର୍ଥନ କରିବା ନୁହେଁ ।
ସେମାନଙ୍କ କହିବାନୁଯାୟୀ ବର୍ତମାନ ରାଜ୍ୟରେ ର୍ନିବାଚନୀ ଉତ୍ସବ ଚାଲିଛି, ସେ ଦୃଷ୍ଟିରୁ ବିଭିନ୍ନ ରାଜନୈତିକ ଦଳର ଚିହ୍ନକୁ ମିଠାରେ ସାମିଲ କରାଯାଇ ଗ୍ରାହକଙ୍କୁ ବିକ୍ରି କରାଯାଉଛି । ଯାହାର ଆଦର ସଂପ୍ରତି ସର୍ବାଗ୍ରେ ରହିଛି ।
ସାଧାରଣ ଉତ୍ସବ ଭଳି ନିର୍ବାଚନକୁ ମଧ୍ୟ ରାଜ୍ୟବାସୀ ଏକ ଉତ୍ସବ ଭାବେ ମନାଇଥାଆନ୍ତି, ସେ ଦୃଷ୍ଟିରୁ ଉତ୍ସବକୁ ଆହୁରି ସୁନ୍ଦର ଓ ସରସ କରିବା ନିମନ୍ତେ ଏଭଳି ଆୟୋଜନ ।
ତେବେ କୌଣସି ଦଳକୁ ସମର୍ଥନ କରିବା ଏହି ମିଷ୍ଟାନ୍ନ ବିକ୍ରିର ଲକ୍ଷ୍ୟ ନୁହେଁ ବୋଲି ସେମାନେ କୁହନ୍ତି ।