ଶ୍ୱଶୁର ଘରେ ଜ୍ୱାଇଁକୁ ପେଟ୍ରୋଲ ଜାଳି ହତ୍ୟା
ବାଲେଶ୍ୱର ଜିଲ୍ଲାର ଚାନ୍ଦବାଲି ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଶ୍ୱଶୁର ଘରେ ଜଣେ ଜ୍ୱାଇଁଙ୍କୁ ପେଟ୍ରୋଲ ଢାଳି ନିଅାଁ ଲଗାଇ ଜୀଅନ୍ତା ପୋଡ଼ି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ଅଭିଯୁକ୍ତକୁ ଗିରଫ ଦାବିରେ ମୃତ ଜ୍ୱାଇଁଙ୍କ ପରିବାର ଲୋକେ ତାଙ୍କ ମୃତଦେହକୁ ଭଦ୍ରକ-ଚାନ୍ଦବାଲି ଦିଗଛୁଆ ଛକରେ ରଖି ଟାୟାର ଜାଳି ରାସ୍ତାରେ ରଖି ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାତାୟାତ ଦୀର୍ଘ ସମୟ ଧରି ବାଧାପ୍ରାପ୍ତ ହୋଇଛି । ଚାନ୍ଦବାଲି-ଭଦ୍ରକ ରାସ୍ତାକୁ ଉତ୍ୟକ୍ତ ଲୋକେ ଅବରୋଧ କରି ରଖିଥିବାରୁ ଉଭୟ ପଟୁ ଶତାଧିକ ଗାଡ଼ମୋଟର ଅଟକି ରହିଛି । ପୁଅକୁ ତା’ ସ୍ତ୍ରୀ, ଶାଶୁ ଓ ପ୍ରେମିକ ମିଶି ହତ୍ୟା କରିଥିବା ମୃତ ଜ୍ୱାଇଁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ମୃତ ଜ୍ୱାଇଁ ଜଣକ ହେଉଛନ୍ତି ଥେରଙ୍ଗ ପଂଚାୟତର ସନ୍ତୋଷ ଦାସ ସେହି ପଂଚାୟତର ବନ୍ଦନା ଦାସଙ୍କୁ ୧୦ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ସେମାନଙ୍କ ୨ଟି ସନ୍ତାନ ଅଛନ୍ତି । ସନ୍ତୋଷ ବାହାର ରହି କାମ କରନ୍ତି । ତେବେ ତାଙ୍କ ସ୍ତ୍ରୀ ବନ୍ଦନାଙ୍କ ପରକୀୟା ପ୍ରୀତି ଚାଲିଥିବା ସେ ସନେ୍ଦହ କରିଥିଲେ । ସେ ଚାନ୍ଦବାଲି ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ । ସେଠାରେ ତାଙ୍କ ସ୍ତ୍ରୀ ବନ୍ଦନାଙ୍କ ସହିତ ବଚସା ହୋଇଥିଲା ।
ଏଥିରେ ଶାଶୁ, ସ୍ତ୍ରୀ ବନ୍ଦନା ଓ ବନ୍ଦନାଙ୍କ ପ୍ରେମିକ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଅାଁ ଲଗାଇ ଜୀଅନ୍ତା ପୋଡ଼ି ମାରିଦେଇଥଲେ । ପରେ ଏ ସଂକ୍ରାନ୍ତରେ ମୃତ ସନ୍ତୋଷଙ୍କ ପରିବାର ଲୋକ ଜାଣି ରାସ୍ତାରେ ସନ୍ତୋଷଙ୍କ ମୃତଦେହ ରଖି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଅଡ଼ି ବସିଥିଲେ ।
ପରେ ଚାନ୍ଦବାଲି ପୁଲିସ ଘଟଣାସ୍ଥଳରେ ପହଂଚି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।