ମମତାଙ୍କ ଦୃଢ଼ୋକ୍ତି : ଜିତିବ ତୃଣମୂଳ
ବୁୁଥ ଫେରନ୍ତା ସମୀକ୍ଷା ଏକାଧିକ ସମୀକ୍ଷକ ସଂସ୍ଥା ବିଜେପିକୁ ଆଗୁଆ ରଖିଥିଲେ ସୁଦ୍ଧା ଗତ ଦୁଇ ଥର ଭଳି ଚଳିତ ଥର ମଧ୍ୟ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଶାସନ କ୍ଷମତା ବଜାୟ ରଖିବ ବୋଲି ତୃଣମୂଳ କଂଗ୍ରେସ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଦୃଢ଼ୋକ୍ତିର ସହ କହିଛନ୍ତି ।
ସେ କହିଛନ୍ତି ଯେ ଚଳିତବର୍ଷ ତୃଣମୂଳ କଂଗ୍ରେସ ୨ଶହରୁ ଅଧିକ ଆସନରେ ବିଜୟୀ ହେବ । ସେ ଆହୁୂରି କହିଛନ୍ତି ଯେ ଇତିହାସ କହୁଛି ଯେ ଗତ ବିଧାନସଭା ନିର୍ବାଚନରେ ମଧ୍ୟ ସିଂହଭାଗରେ ବିଜେପିକୁ କେତେକ ସମୀକ୍ଷକ ଦଳ ରଖିଥିଲେ, ଯାହାକି ଭୁଲ ବୋଲି ପ୍ରମାଣିତ ହୋଇଥିଲା ।
୨୦୨୪ ମସିହାରେ କେନ୍ଦ୍ରରେ ଏନଡିଏ ୪୦୦ ପାର ହେବ ବୋଲି ଇଙ୍ଗିତ ଦେଇଥିଲା, କିନ୍ତୁ ବାସ୍ତବରେ ତାହା ଓଲଟା ହୋଇଥିଲା । ତେବେ ଚଳିତବର୍ଷ ଭୋଟ ହାରକୁ ନେଇ ବିଜେପି ଯେଉଁ ସ୍ୱପ୍ନ ଦେଖିବା ଆରମ୍ଭ କରିଛି ତାହା ସେମାନଙ୍କ ସମର୍ଥନ ନୁହେଁ, ବରଂ ଏସଆଇଆର କାରଣରୁ ହୋଇଛି ବୋଲି ମନେ କରିବାକୁ ହେବ ।
କାରଣ ସାଧାରଣ ନାଗରିକ ଏସଆଇଆର ଯୋଗୁଁ ଆତଙ୍କିତ ହୋଇ ପଡ଼ିଥିଲେ । ତେଣୁ ସେମାନେ ମନେ କରିଥିଲେ ଯେ ଯଦି ସେମାନେ ଭୋଟ ନ ଦିଅନ୍ତି, ତେବେ ସେମାନେ ସମସ୍ୟାରେ ପଡ଼ିପାରନ୍ତି । ତେଣୁ ଭୋଟ ହାର ବୃଦ୍ଧି ପାଇଛି । କିନ୍ତୁ ବିଜେପି ସେମାନଙ୍କ ସମର୍ଥନ ପାଇଁ ଭୋଟ ହାର ବୃଦ୍ଧି ପାଇଛି ବୋଲି ଯାହା ମନେ କରୁଛି ତାହା ଭୁଲ ବୋଲି ପ୍ରମାଣିତ ହେବ ।
ସେ ଆହୁରି କହିଛନ୍ତି ଯେ ଶାସକ ଦଳ ତୃଣମୂଳ କଂଗ୍ରେସର ମୁଳ ଭରସା ହେଉଛି ‘ଏମ’ ଫ୍ୟାକ୍ଟର । ଅର୍ଥାତ ମହିଳା, ମୁସଲିମ ଓ ମମତା ବାନାର୍ଜୀ ସ୍ୱୟଂ । ଯାହାଦ୍ୱାରା ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଏହି ‘ଏମ’ ଫ୍ୟାକ୍ଟର ଅଧିକ ସଂଖ୍ୟରେ ଭୋଟ ଦେଇଥିବା ପରିଲକ୍ଷିତ ହୋଇଛି ।
ତାଙ୍କର ଆହୁରି ବକ୍ତବ୍ୟ ଥିଲା ଯେ ଏସଆଇଆର ଯୋଗୁଁ ବିଭିନ୍ନ ରାଜ୍ୟରେ ପ୍ରବାଶୀ ଶ୍ରମିକ ଓ କର୍ମଚାରୀମାନେ ରାଜ୍ୟକୁ ଆସି ଭୋଟ ଦେଇଛନ୍ତି । ଯାହାଦ୍ୱାରା ଭୋଟ ହାର ବୃଦ୍ଧି ପାଇଛି । ତେବେ ଏହାକୁ ବିଜେପି ଓ କେତେକ ସମୀକ୍ଷକ ଦଳ ଭିନ୍ନ ଅର୍ଥ ବହନ କରୁଥିବା ପରିଲକ୍ଷିତ ହୁଏ ।
ଯାହାର ଚିତ୍ର ଆସନ୍ତା ୪ ତାରିଖରେ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି ।