ପଶ୍ଚିମବଙ୍ଗରେ ବିଜେପି, କିଏ ହେବେ ମୁଖ୍ୟମନ୍ତ୍ରୀ?
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଐତିହାସିକ ବିଜୟ ହାସଲ କରିବାକୁ ଯାଉଛି ।
ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ର ସଦ୍ୟତମ ଟ୍ରେଣ୍ଡ ଅନୁଯାୟୀ ୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ୧୮୧ଟି ଆସନରେ ଆଗୁଆ ରହି ବହୁମତ ହାସଲ କରିବାକୁ ଯାଉଛି । ଏହି ଐତିହାସିକ ବିଜୟ ସହିତ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି)ର ୧୫ବର୍ଷ ଶାସନର ଅନ୍ତ ଘଟିବାକୁ ଯାଉଛି ।
ତେବେ ପଶ୍ଚିମବଙ୍ଗର ପରବର୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ନେଇ ସମଗ୍ର ରାଜ୍ୟରେ ଆଲୋଚନା ଆରମ୍ଭ ହୋଇଛି ।
କାରଣ ଅତୀତରେ ବିଭିନ୍ନ ରାଜ୍ୟରେ ଦେଖାଯାଇଛି ଯେ ରାଜ୍ୟର ବରିଷ୍ଠ ବିଜେପି ନେତାନେତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଅଳଙ୍କୃତ କରା ନଯାଇ, କୌଣସି ଅନାଲୋଚିତ ବ୍ୟକ୍ତିଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ କରାଯାଉଛି । ତେବେ ଏହା ପଶ୍ଚିମବଙ୍ଗ କ୍ଷେତ୍ରରେ କେତେଟା ପ୍ରଯୁଜ୍ୟ ତାହା ଆଗାମୀ କିଛି ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ।
ନିର୍ବାଚନ ପ୍ରଚାର ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୂଚନା ଦେଇଥିଲେ ଯେ ରାଜ୍ୟରେ ବିଜେପି ଜିତିଲେ ଜଣେ ବଙ୍ଗୀୟ ଏବଂ ବଙ୍ଗଳା କହୁଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ । ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ବିଷୟରେ କୌଣସି ସ୍ପଷ୍ଟ କରାଯାଇ ନାହିଁ ।
ସଂପ୍ରତି ବିଜେପିର ଆଗଧାଡ଼ିରେ ଶୁଭେନ୍ଦୁ ଅଧିକାରୀ, ଦିଲୀପ ଘୋଷ, ରୂପା ଗାଙ୍ଗୁଲି, ସମୀକ ଭଟ୍ଟାଚାର୍ଯ୍ୟ, ନିଶିଥ ପରମାଣିକ, ଅଗ୍ନିମିତ୍ରା ପାଲ ଭଳି ନେତାନେତ୍ରୀ ଅଛନ୍ତି ।
ସଂପ୍ରତି ପୂର୍ବତନ ଟିଏମସି ନେତା ତଥା ବର୍ତମାନର ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଜଣେ ଲୋକପ୍ରିୟ ଚେହେରା ଏବଂ ଦକ୍ଷିଣ ବଙ୍ଗର ଜଣେ ଶକ୍ତିଶାଳୀ ଜନନେତା ଭାବେ ବିବେଚନା କରାଯାଉଥିବାବେଳେ ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ଦକ୍ଷ ସଂଗଠକ ଏବଂ ବାଗ୍ନୀ ନେତା ଦିଲୀପ ଘୋଷ ମଧ୍ୟ ଏହି ଦୌଡ଼ରେ ଆଗରେ ରହିଥିବା ପରିଲକ୍ଷିତ ହୁଏ ।
ସେହିପରି ରାହୁଳ ସିହ୍ନାଙ୍କ ନାମ ମଧ୍ୟ ଚର୍ଚାରେ ଥିବାବେଳେ ସୋନାରପୁର ଦକ୍ଷିଣରୁ ପ୍ରାର୍ଥୀ ତଥା ବିଜେପିର ପ୍ରମୁଖ ମହିଳା ନେତ୍ରୀ ରୂପା ଗାଙ୍ଗୁଲିଙ୍କ ନାମ ମଧ୍ୟ ସାଧାରଣରେ ଚର୍ଚା ହେଉଛି । ସେ ବର୍ତମାନ ଚାଲିଥିବା ନିବ;ରଚନ ଗଈତିରେ ଆଗୁଆ ଅଛନ୍ତି ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଏକ ଶକ୍ତିଶାଳୀ ଦାବିଦାର ମନେ କରାଯାଉଛି ।
ସେହିପରି ରାଜ୍ୟର ବର୍ତମାନ ବିଜେପି ସଭାପତି ତଥା ବରିଷ୍ଠ ଆରଏସଏସ ନେତା ସମୀକ ଭଟ୍ଟଚାର୍ଯ୍ୟ ମଧ୍ୟ ଦୌଡ଼ରେ ରହିଥିବା ପରିଲକ୍ଷିତ ହୁଏ । ୨୦୨୪ ମସିହାରୁ ରାଜ୍ୟସଭା ସାଂସଦ ଥିବା ସମୀକ ଭଟ୍ଟାଚାର୍ଯ୍ୟ, ରାଜ୍ୟରେ ବିଜେପି ସଂଗଠନକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।
ସେହିପରି ଅନ୍ୟତମ ବରିଷ୍ଠ ନେତା ତଥା ଉତର ବଙ୍ଗର ପ୍ରମୁଖ ଚେହେରା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ନିଶୀଥ ପ୍ରମାଣିକ, ଯିଏକି ବିଶେଷ କରି କୁଚବିହାର ଅଂଚଳରେ ଦଳର ସ୍ଥିତି ମଜବୁତ କରିଛନ୍ତି । ସେ ଏବେ ମାଥାଭାଙ୍ଗାରୁ ନିର୍ବାଚନ ଲଢ଼ୁଛନ୍ତି ।
ଅନ୍ୟତମ ନେତ୍ରୀ ଭାବେ ପରିଚିତ ଅଗ୍ନିମିତ୍ରା ପାଲ ସଂପ୍ରତି ଆସାନସୋଲ ଦକ୍ଷିଣ ବିଧାୟକ ତଥା ରାଜ୍ୟ ଉପାଧ୍ୟକ୍ଷା ଅଟନ୍ତି । ଜଣେ ସକ୍ରିୟ ଓ ସ୍ପଷ୍ଟବାଦୀ ମହିଳା ନେତ୍ରୀ ଭାବେ ରାଜ୍ୟରେ ପରଚିତ ଅଟନ୍ତି ।