ଇକୋ ଟୁରିଜିମ ପାଇଁ ଶିମିଳିପାଳରୁ କଟିବ ବହୁ ଗଛ !
ବାଘ ସୁରକ୍ଷା ପାଇଁ ନୁହେଁ, କିମ୍ବା ଶିମିଳିପାଳର ବିରଳ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ନୁହେଁ । ଶିମିଳିପାଳରେ ପ୍ରସ୍ତାବିତ ଇକୋ ଟୁରିଜିମ ନିମନ୍ତେ ୨୦ଏକର ଜମି ଆବଶ୍ୟକ ।
ଏହି ଜମିକୁ ଇଡକୋକୁ ହସ୍ତାନ୍ତର କରାଯିବାର ଯୋଜନା ରହିଥିବା ଜଣାପଡ଼ିଛି । ଏଥିପାଇଁ ଜମି ଚିହ୍ନଟ ନିମନ୍ତେ ଜିଲାପାଳ ତହସିଲଦାରଙ୍କୁ ଚିଠି ମଧ୍ୟ କରିଥିବା ଜଣାପଡ଼ିଛି । ତେବେ ଶିମିଳିପାଳର ସୁରକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା ଓ ସଚେତନତା ସୃଷ୍ଟି କରି କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ବର୍ତମାନ ଇକୋ ଟୁରିଜିମ ପାଇଁ ମୟୁରଭଞ୍ଜ ଜିଲା ଯଶିପୁର ତହସିଲ ଅନ୍ତର୍ଗତ ଶିମିଳିପାଳ ପ୍ରବେଶଦ୍ୱାରା କଳିକାପ୍ରସାଦ ଫାଟକ ନିକଟରେ ହେବା ପାଇଁ ସ୍ଥିରକୃତ ହୋଇଛି ।
ଏଥିପାଇଁ ହଜାର ହଜାର ବିଭିନ୍ନ ନାମୀଦାମୀ ଗଛ କଟା ଯିବା ପାଇଁ ଚିହ୍ନଟ ମଧ୍ୟ କରାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ଫାଟକ ନିକଟରେ ଥିବା ଶହଶହ ବର୍ଷ ତଳର ପୁରୁଣା ନାମିଦାମୀ ଗଛ କାହା ସ୍ୱାର୍ଥରେ କଟାଯିବ ଏବଂ ଶିମିଳିପାଳ ସୁରକ୍ଷିତ ରହିବ ତ?
ସୂଚନା ଅନୁଯାୟୀ ଉକ୍ତ ଫାଟକ ପହଂଚିବା ପୂର୍ବରୁ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଜମି ପରିତ୍ୟକ୍ତ ଅବସ୍ଥାରେ ରହିଥିଲେ ସୁଦ୍ଧା ତାହା ଚିହ୍ନଟ କରାଯାଉ ନାହିଁ । ଏ ସମ୍ବନ୍ଧରେ ଯଶିପୁର ତହସିଲଦାର ମହିନି କୁମାର ନାଏକଙ୍କ ସହ କେତେକ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗାଯୋଗ କରାଯିବାରୁ ଉକ୍ତ ଗଛଗୁଡ଼ିକ ଚିହ୍ନଟ ହୋଇଛି ବୋଲି କୁହାଯାଇଛି । ତେବେ ସେଗୁଡ଼ିକ କଟା ହେବ କି ନାହିଁ ତାହା ସ୍ପଷ୍ଟ କରାଯାଇ ନାହିଁ ।
ତେବେ ଇକୋ ଟୁରିଜିମ ପାଇଁ ଅନ୍ୟ ସ୍ଥାନ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମତ ରଖିଛନ୍ତି ।
ଗଛ କଟାକୁ ଭଞ୍ଜସେନାର ପ୍ରତିଷ୍ଠାତା ଏକ୍ସରେ ଟୁଇଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ଉକ୍ତ ଗଛଗୁଡ଼ିକୁ ନ କାଟି ଯଦି ଅନ୍ୟ ସ୍ଥାନରେ ଇକୋ ଟୁରିଜିମ କିମ୍ବା ହୋଟେଲ କରାଯାଇପାରନ୍ତା ତେବେ ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷିତ ରହିବା ସମ୍ଭବ ।