ତେଲ ଟାଙ୍କିରେ ଭିଡ଼
ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ପ୍ରାୟ ୨ ମାସ ହେବ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ୱରେ ତୈଳ ସଙ୍କଟ ଦେଖାଦେଇଛି ।
ବିଶେଷ କରି ଓମାନ ଏବଂ ଇରାନ ମଧ୍ୟରେ ଥିବା ହର୍ମୁଜ ଷ୍ଟ୍ରେଟକୁ ଉଭୟ ଇରାନ ଓ ଆମେରିକାର ଅବରୋଧ କରି ରଖିଥିବାରୁ ଏଭଳି ସଙ୍କଟ ଉପୁଜିଛି ।
ଏଥିରେ ଭାରତ ମଧ୍ୟ ପ୍ରଭାବିତ ହୋଇଛି ।
ଏବେ ରାଜ୍ୟର ପ୍ରତି ଜିଲାରେ ଥିବା ପେଟ୍ରୋଲ ପମ୍ପରେ ତେଲ ପାଇଁ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି ।
ଲୋକେ ନିଜ ନିଜ ବାଇକ, ସ୍କୁଟି, ସ୍କୁଟର, ମୋପେଡ଼ ଆଦି ଧରି ଲମ୍ବା ଧାଡ଼ିରେ ପେଟ୍ରୋଲ ନେବାକୁ ସକାଳୁ ଛିଡ଼ା ହୋଇଥିବା ନଜର ଆସିଛି । ଏହି ଦୃଶ୍ୟ କଟକ ସହରର ବିଭିନ୍ନ ପେଟ୍ରୋଲ ପମ୍ପରେ ମଧ୍ୟ ଦେଖିବାକୁ ମିଳିଛି ।
ଦେଶରେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୩ ଟଙ୍କା ବୃଦ୍ଧି ପାଇଥିବାବେଳେ ଡିଜେଲ ଲିଟର ପିଛା ୩ଟଙ୍କା ୧୧ ପଇସା ବୃଦ୍ଧି ପାଇଛି ।
ତେବେ ତୈଳ ସଙ୍କଟକୁ ଦେଖି ବର୍ତମାନ ରାଜ୍ୟର ପ୍ରତି ଜିଲାରେ ଥିବା ପେଟ୍ରୋଲ ପମ୍ପରେ ସର୍ବନିମ୍ନ ତେଲ ମହଜୁଦ ରଖିବା ନିମନ୍ତେ ପେଟ୍ରୋଲ ପମ୍ପମାଲିକମାନଙ୍କୁ ଜିଲାପାଳମାନେ ନିର୍ଦେଶ ଦେଇଛନ୍ତି ।
ତଦନୁଯାୟୀ ପ୍ରତି ପେଟ୍ରୋଲ ପମ୍ପରେ ସର୍ବନିମ୍ନ ପେଟ୍ରୋଲ ୧ ହଜାର ଲିଟର, ଡିଜେଲ ୨ ହଜାର ଲିଟର ରଖିବାକୁ ପଡ଼ିବ ବୋଲି ଜିଲାପାଳ ତାଙ୍କ ନିର୍ଦେଶରେ ସ୍ପଷ୍ଟ କରିଛନ୍ତି । ବିଶେଷ କରି ଜରୁରୀ ପରିସ୍ଥିତି ପାଇଁ ଏଭଳି ପଦକ୍ଷେପ ନେବା ନିମନ୍ତେ ଏହି ବ୍ୟବସ୍ଥା କରାଯାଇଛି ।