ମାଷ୍ଟରମାଇଣ୍ଡ ଅଧ୍ୟାପିକା ପୁନେରୁ ଗିରଫ
ସିବିଆଇ ନିଟ-ୟୁଜି ପ୍ରଶ୍ନପତ୍ର ଲିକ ମାମଲାରେ ଦ୍ୱିତୀୟ ମୁଖ୍ୟ ଅଭିଯୁକ୍ତ ତଥା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପାନେଲରେ ଥିବା ଜୀବବିଜ୍ଞାନ ଅଧ୍ୟାପିକା ମନୀଷା ମନ୍ଧାରେଙ୍କୁ ଗିରଫ କରିଛି ।
ପ୍ରଶ୍ନପତ୍ର ଲିକ ରାକେଟର ମୁଖ୍ୟ କୁହାଯାଉଥିବା ଅବସରପ୍ରାପ୍ତ ରସାୟନ ବିଜ୍ଞାନ ଅଧ୍ୟାପକ ପିଭି କୁଲକର୍ଣ୍ଣୀଙ୍କୁ ଗିରଫ କରିବାର ଦିନ ପରେ ଏନଟିଏ ପେପର ସେଟିଂ କମିଟିରେ ଥିବା ତଥା ଅନ୍ୟତମ ମାଷ୍ଟରମାଇଣ୍ଡ ମନ୍ଧାରେଙ୍କୁ ଗିରଫ କରିଛି ।
ମନ୍ଧାରେଙ୍କୁ ସିବିଆଇ ପଚରାଉଚରା କରିବା ପରେ ଶନିବାର ଗିରଫ କରିଛି । ସେ ପୁନେର ମଡର୍ଣ୍ଣ ଆଟ୍ସ ସାଇନ୍ସ ଓ କର୍ମସ କଲେଜରେ ଅଧ୍ୟାପକ ଅଛନ୍ତି । ଅଧିକାରୀଙ୍କ ଅନୁଯାୟୀ ମନ୍ଧାରେ ମଧ୍ୟ କୁଲକର୍ଣ୍ଣୀଙ୍କ ପରି ସମାନ ଢଙ୍ଗରେ ଲିକ ହୋଇଥିବା ପ୍ରଶ୍ନଗୁଡ଼ିକୁ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିଲେ ।
ଏହି ଛାତ୍ରଛାତ୍ରୀମାନେ ତାଙ୍କଠାରୁ ପାଠ ପଢ଼ିବା ପାଇଁ ଲକ୍ଷଲକ୍ଷ ଟଙ୍କା ଦେଉଥିଲେ । ସିବିଆଇ ତଦନ୍ତରୁ ଜଣାପଡ଼ିଛି ଯେ ଦୁଇଟି ସେଟ ପ୍ରଶ୍ନପତ୍ର ଗୋଟିଏ ହାତଲେଖା ଓ ଅନ୍ୟଟି ଟାଇପ ହୋଇଥିବା ଏନଟିଏରୁ ଲିକ୍ ହୋଇଥିଲା ଓ ଏହା ପଛରେ କୁଲକର୍ଣ୍ଣୀ ଓ ମନ୍ଧାରେ ଥିଲେ ।
ପ୍ରଶ୍ନପତ୍ର ପ୍ରସ୍ତୁତ କରିଥିବା ପୁରା କମିଟି ଓ ଏନଟିଏର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସିବିଆଇ ସ୍କାନରେ ରହିଛନ୍ତି । ଆଗାମୀ ଦିନରେ ଅଧିକ ଲୋକଙ୍କୁ ଗିରଫ କରାଯିବାର ସମ୍ଭାବନା ରହିଛି ବୋଲି ତଦନ୍ତକାରୀ ଦଳ ପକ୍ଷରୁ କୁହାଯାଇଛି ।