ସରକାରୀ ଗାଡ଼ିରେ ‘ରାଇଡ ସେୟାରିଂ’ ଉପରେ ଗୁରୁତ୍ୱ
ବିଶ୍ୱ ଆର୍ଥିକ ଅନିଶ୍ଚିତତା ମଧ୍ୟରେ ଗତି କରୁଛି । ପ୍ରଚଳିତ ଆନ୍ତର୍ଜାତୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଯାନବାହନର ସଚେତନ ଏବଂ ସଂଯମୀ ବ୍ୟବହାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଆଦେଶ ଜାରି କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ନିର୍ଦେଶକ୍ରମେ ସମ୍ବଳ, ବିଶେଷ କରି ଇନ୍ଧନ ଏବଂ ଶକ୍ତିର ସୁଚିନ୍ତିତ ଓ ପୋଷଣୀୟ ପରିଚାଳନା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଅନାବଶ୍ୟକ ଇନ୍ଧନ ଖର୍ଚ କାଟ କରିବା ଏବଂ ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକା କୁହାଯାଇଛି ଯେ ସରକାରୀ ଗାଡିର ସହଭାଗୀ ବ୍ୟବହାର ବିଭାଗର ଯେଉଁ ଅଧିକାରୀମାନେ ସରକାରୀ କାର୍ଯ୍ୟ ପାଇଁ ଯାନବାହନ ବ୍ୟବହାର କରୁଛନ୍ତି, ସେମାନଙ୍କୁ ବିଶେଷ କରି ବିଭିନ୍ନ ବୈଠକ, ସରକାରୀ ପରିଦର୍ଶନ, ଯାଂଚ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମୟରେ ‘ରାଇଡ ସେୟାରିଂ’ କରିବାକୁ ପରାମର୍ଶ ଓ ଉତ୍ସାହିତ କରାଯାଇଛି ।
ଏହାଦ୍ୱାରା ଅନାବଶ୍ୟକ ଇନ୍ଧନ ବ୍ୟୟ ହ୍ରାସ ପାଇବା ସହ ଜାତୀୟ ଶକ୍ତି ସଂରକ୍ଷଣରେ ବଡ଼ ସହାୟତା ମିଳିବ । ଏହି ପୁଲିଂ ବ୍ୟବସ୍ଥାର ସମନ୍ୱୟ ଦାୟିତ୍ୱ ବୈଠକ କିମ୍ବା କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ବରିଷ୍ଠ ଅଧିକାରୀଭ୍କ ଉପରେ ନ୍ୟସ୍ତ ରହିବ ।
କାର୍ଯ୍ୟାଳୟ ସମୟ ମଧ୍ୟରେ ମଧ୍ୟାହ୍ନ ଭୋଜନ କିମ୍ବା କୌଣସି ଅଣ-ଅତ୍ୟାବଶ୍ୟକ ତଥା ପରିହାରଯୋଗ୍ୟ କ୍ଷୁଦ୍ର-ଦୂରତା ବ୍ୟକ୍ତିଗତ ସୁବିଧା ପାଇଁ ସରକାର ଯାନବାହନ ବ୍ୟବହାର ନ କରିବାକୁ ସମସ୍ତ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି । ଅଳ୍ପ ଦୂରତା ସମୟରେ ଅଧିକାରୀମାନଙ୍କୁ ପଦଯାତ୍ରା ସହଭାଗୀ ପରିବହନ କିମ୍ବା ଅନ୍ୟାନ୍ୟ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବାକୁ ଉତ୍ସାହିତ କରାଯାଉଛି ।
ଏହି ସାମୁହିକ ଓ ସଚେତନ ପ୍ରୟାସ ମାଧ୍ୟମରେ ଉଚ୍ଚ ପ୍ରଶାସନିକ ଶୃଙ୍ଖଳା ପ୍ରଦର୍ଶନ କରିବା ସହ ବର୍ତମାନର ବିଶ୍ୱ ଆର୍ଥିକ ଓ ଶକ୍ତି ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକର ସଫଳ ମୁକାବିଲାରେ ରାଷ୍ଟ୍ରକୁ ସହାୟତା କରିବା ପାଇଁ ଶ୍ରୀମତୀ ପାଢ଼ୀ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସକ୍ରିୟ ସହଯୋଗ କାମନା କରିଛନ୍ତି ।