ଫଲତାରେ ଭୋଟ ଲଢ଼ିବେନି ‘ପୁଷ୍ପା’
ମଙ୍ଗଳବାର ଭୋଟ ପ୍ରଚାରର ଶେଷ ଦିନ ଥିଲା ।
ଠିକ୍ ଏତିକିବେଳେ ଫଲତାର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗିର ଖାନ ଭୋଟ କାର୍ଯ୍ୟରୁ ଦୂରେଇ ଯାଇଥିବା ପରିଲକ୍ଷିତ ହୋଇଛି ।
ସେ ଘୋଷଣା କରିଛନ୍ତି ଯେ ଫଲତାର ଉନ୍ନୟନର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତି ନେଇଛନ୍ତି ବୋଲି ସାମ୍ବାଦିକମାନଙ୍କୁ କହିଛନ୍ତି ।
ମଙ୍ଗଳବାର ଜାହାଙ୍ଗିର କହିଛନ୍ତି ଯେ ‘ମୁଁ ଫଲତାର ଭୁମିପୁତ୍ର । ତେଣୁ ମୁଁ ଚାହେଁଯେ ଫଲତା ଭଲରେ ରହୁ ଏବଂ ଫଲତାରେ ଆହୁରି ଅଧିକ ଉନ୍ନୟନ ହେଉ । ସମ୍ମାନୀୟ ମୁଖ୍ୟମନ୍ତ୍ରୀ ଫଲତାର ଉନ୍ନୟନ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦେଉଛନ୍ତି । ସେହି କାରଣରୁ ଆଗାମୀ ୨୧ ମେରେ ଯେଉଁ ରିପୋଲିଂ ଅଛି, ସେହି ସଂଗ୍ରାମରୁ ମୁଁ ନିଜକୁ ଦୂରେଇ ନେଇଛି ।’
ଫଲତାର ଉନ୍ନୟନ ସ୍ୱାର୍ଥ ଓ ଶାନ୍ତିରକ୍ଷା ନିମିତ ସେ ନିଜକୁ ଦୂରେଇ ରଖିଲେ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ ୨୯ରେ ଫଲତାରେ ଦ୍ୱିତୀୟ ଦଫା ଭୋଟ ଥିଲା ।
ସେହି ଭୋଟରେ ବ୍ୟାପକ ସନ୍ତ୍ରାସ ଅଭିଯୋଗ ଉଠିଥିଲା । ଇଭିଏମ୍ରେ କାଳି ଲାଗିବା, ବୋତାମରେ ଟେପ ଲାଗିବା ଇତ୍ୟାଦି ଅଭିଯୋଗ ଥିଲା । ଯଦିଓ ସାମ୍ବାଦିକ ସମ୍ମିଳନୀରେ ଜାହାଙ୍ଗିର କହିଛନ୍ତି ଯେ ସେ ଏହି ସମସ୍ତ କାର୍ଯ୍ୟରେ ସଂପୃକ୍ତ ନାହାଁନ୍ତି ଏବଂ କେଉଁମାନେ ଏହା କରିଛନ୍ତି ତାହା ମଧ୍ୟ ଜାଣନ୍ତି ନାହିଁ । ତେଣୁ ଏଭଳି ବିତର୍କରୁ ସେ ନିଜକୁ ଦୁରେଇ ରଖିବା ନିମିତ ସେ ଏଭଳି ସିଦ୍ଧାନ୍ତ ଗ୍ରହଣ କରିଥିବା ସାମ୍ବାଦିକମାନେ ଅନୁମାନ କରୁଛନ୍ତି ।
ଅନ୍ୟପକ୍ଷରେ ଜାହାଙ୍ଗିର ଖାନ ୁ ଦୂରେଇ ରହିବା ବିଷୟ ଘୋଷଣା କରିଥିଲେ ସୁଦ୍ଧା ଅଫିସିଆଲି ଭାବେ ଏଭଳି ଭାବେ ଦୁରେଇ ରହି ହେବନି ବୋଲି ନିର୍ବାଚନ କମିସନ କହିଛନ୍ତି । କାରଣ ନାମ ପ୍ରତ୍ୟାହାର ସମୟ ଅପସରି ଯାଇଛି । ଇଭିଏମରେ ତୃଣମୂଳ କଂଗ୍ରେସର ଲୋକ ରହିବ ଏବଂ ସେଥିରେ ଜାହାଙ୍ଗିରଙ୍କ ନାମ ରହିବ ।
ତେବେ ଏହି କ୍ଷେତ୍ରରେ ନିର୍ବାଚନ କମିସନ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଆଗକୁ ଜଣାପଡ଼ିବ ।