୨୪ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା
ଦଶଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି ।
ନିର୍ବାଚନ କମିସନ ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ନିର୍ବାଚନ କମିସନ କହିଛନ୍ତି ଯେ ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ୨୦୨୬ ଜୁନ ୧୮ତାରିଖରେ ଅନୁଷ୍ଠିତ ହେବ । ନିର୍ବାଚନ କମିସନଙ୍କ ଘୋଷଣା ପରେ ସଂପୃକ୍ତ ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି ।
ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ, କର୍ଣ୍ଣାଟକ, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମ ଅନ୍ତର୍ଭୁକ୍ତ । ଆନ୍ଧ୍ର ପ୍ରଦେଶ, ଗୁଜୁରାଟ ଏବଂ କର୍ଣ୍ଣାଟକରେ ସର୍ବାଧିକ ୪ଟି ଆସନରେ ନିର୍ବାଚନ ହେବ ।
ନିର୍ବାଚନ କମିସନଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି ଯେ ଜୁନ ୨୧ରୁ ଜୁଲାଇ ୧୯ ମଧ୍ୟରେ ୧୦ଟି ରାଜ୍ୟର ବର୍ତମାନର ସାଂସଦମାନେ ରାଜ୍ୟସଭାରୁ ଭିନ୍ନଭିନ୍ନ ତାରିଖରେ ଅବସର ନେଉଛନ୍ତି । ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଏବଂ କର୍ଣ୍ଣାଟକର ପ୍ରତ୍ୟେକରେ ଚାରିଟି ଆସନ, ମଧ୍ୟ ପ୍ରଦେଶ ଏବଂ ରାଜସ୍ତାନର ପ୍ରତ୍ୟେକରେ ତିନିଟି ଆସନ, ଝାଡ଼ଖଣଡରେ ଦୁଇଟି ଆସନ, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମ ପ୍ରତ୍ୟେକଟିରେ ଗୋଟିଏ ଆସନ ପାଇଁ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଦିଗବିଜୟ ସିଂହ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡ଼ାଙ୍କ ଭଳି ପ୍ରମୁଖ ନେତା ରାଜ୍ୟସଭାରୁ ଅବସର ନେବେ । ରାଜସ୍ଥାନର ରାଜେନ୍ଦ୍ର ଗେହଲଟ, ନୀରଜ ଡାଙ୍ଗି ଏବଂ ରଭନୀତ ସିଂହଙ୍କଦ୍ୱାରା ସ୍ଥାପିତ ଆସନଗୁଡ଼ିକ ମଧ୍ୟ ଖାଲି ହୋଇଯିବ ।
ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ ଜୁନ ୧ରେ ବିଜ୍ଞପ୍ତି ଜାରି କରାଯିବ । ପ୍ରାର୍ଥୀମାନେ ଜୁନ ୮ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ । ନାମାଙ୍କନ ପତ୍ର ଯାଂଚ ଜୁନ ୯ତାରିଖରେ ହେବ ଏବଂ ପ୍ରାର୍ଥୀମାନେ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିପାରିବେ ।
ନିର୍ବାଚନ କମିସନ ଭୋଟ ପ୍ରକ୍ରିୟା ସମ୍ପର୍କରେ ବିଶେଷ ନିର୍ଦେଶ ଜାରି କରିଛନ୍ତି । କମିସନ ସ୍ପଷ୍ଟ କରିଛନ୍ତି ଯେ ଭୋଟ ସମୟରେ କେବଳ ନିର୍ବାଚନ ଅଧିକାରୀ ପ୍ରଦାନ କରିଥିବା ସ୍ୱତନ୍ତ୍ର ବାଇଗଣୀ ସ୍କେଚ ପେନ ବ୍ୟବହାର କରାଯିବ । ଅନ୍ୟ କୌଣସି ପେନ ବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ ।
ନିରପେକ୍ଷ ମତଦାନ ସୁନିଶ୍ଚିତ କରିବା ପାଇଁ ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ନିଯୁକ୍ତ କରାଯିବ ।