ରଜୌରୀରେ ସେନା-ଆତଙ୍କବାଦୀ ମୁହାଁମୁହିଁ
ଜମ୍ମୁ-କଶ୍ମୀରର ରଜୌରୀ ଜିଲାରେ ଶନିବାର ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବାବେଳେ ସମଗ୍ର ଅଂଚଳ ପାଇଁ ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି ।
ସୁରକ୍ଷା ବାହିନୀର ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ଦୁର୍ଗମ ଅଂଚଳରେ ଦୁଇଜଣ ସଶସ୍ତ୍ର ଆତଙ୍କବାଦୀ ଆତ୍ମଗୋପନ କରି ରହିଛନ୍ତି, ଯେଉଁମାନଙ୍କୁ ନିପାତ କରିବା ପାଇଁ ସେନା ଉଦ୍ୟମ ଚଳାଇଛି । ବିଶେ ସୂତ୍ର ଅନୁଯାୟୀ ପାରି ନାଲ୍ଲା ସୀମାନ୍ତ ଅଂଚଳରେ ଆତଙ୍କବାଦୀଙ୍କ ଗତିବିଧି ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଗୁପ୍ତ ସୂଚନା ମିଳିଥିଲା ।
ଏହି ଆଧାରରେ ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସର ଏକ ସ୍ୱତନ୍ତ୍ର ମିଳିତ ଦଳ ଗଠନ କରାଯାଇ ସଂପୃକ୍ତ ଅଂଚଳରେ ଏକ କର୍ଡନ ଆଣ୍ଡ ସର୍ଚ ଅପରେସନ ଆରମ୍ଭ କରାଯାଇଥିଲା । ସୈନିକମାନେ ଜଙ୍ଗଲ ମଧ୍ୟକୁ ପ୍ରବେଶ କରୁଥିବା ସମୟରେ ପୂର୍ବରୁ ଆମ୍ବୁସ ଲଗାଇ ଲୁଚି ରହିଥିବା ଆତଙ୍କବାଦୀମାନେ ସୈନ୍ୟଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ ।
ଏହାର ପ୍ରତିବାଦରେ ସେନାର ବୀର ଯବାନମାନେ ମଧ୍ୟ ତୁରନ୍ତ ମୁକାବିଲା କରିଥିଲେ ।
ଗୁଳି ବିନିମୟ ଶେଷ ନ ହେବା ପର୍ଯ୍ୟନ୍ତ ସୁରକ୍ଷା ବାହିନୀ ସମଗ୍ର ପାର୍ବତ୍ୟ ଅଂଚଳକୁ ଚତୁର୍ଦ୍ଦିଗରୁ ଘେରାବନ୍ଦୀ କରି ରଖାଯାଇଛି । ଆତଙ୍କବାଦୀମାନେ ଯେପରି ଘଂଚ ଜଙ୍ଗଲର ସୁଯୋଗ ନେଇ ପଳାଇବାକୁ ସକ୍ଷମ ନ ହେବେ ସେଥିପାଇଁ ତୁରନ୍ତ ଅତିରିକ୍ତ ସୈନ୍ୟ ଓ ପାରା କମାଣ୍ଡୋଙ୍କୁ ପଠାଯାଇ ସମସ୍ତ ଗୁପ୍ତ ରାସ୍ତାକୁ ସିଲ କରି ଦିଆଯାଇଛି ।
ବର୍ତମାନ ସୁରକ୍ଷା ବାହିନୀର ଯବାନମାନେ ଆଖପାଖ ଦୁର୍ଗମ ପାହାଡ଼ିଆ ଗୁମ୍ଫା ଏବଂ ଘଂଚ ଜଙ୍ଗଲରେ ଡ୍ରୋନ ସହାୟତାରେ ନିରନ୍ତର ତଲାସି ଅଭିଯାନ ଜାରି ରଖିଛନ୍ତି ।