ମେ’ ଶେଷ ଯାଏ ପଶ୍ଚିମରେ ତାତି
ଓଡ଼ିଶା ସହ ସମଗ୍ର ଦେଶରେ ଗ୍ରୀଷ୍ମ ଲହରୀ ଜାରି ରହିଛି । ଅସହ୍ୟ ରୌଦ୍ରତାପ ସାଙ୍ଗକୁ ପ୍ରଚଣ୍ଡ ଗୁଳୁଗୁଳି ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।
ତାପମାତ୍ରା ଜ୍ୱାଳରେ ପଶ୍ଚିମ ଓଡ଼ିଶାବାସୀ ହଟହଟାର ସମ୍ମୁଖୀନ ହେଉଥିବାବେଳେ ଅନ୍ୟାନ୍ୟ ଅଂଚଳରେ ପ୍ରବଳ ଗୁଳୁଗୁଳି ଯୋଗୁଁ ସାଧାରଣ ଲୋକେ ଛଟପଟ ହେଉଥିବା ପରିଲକ୍ଷିତ ହେଉଛି । ଆଜି ଝାରସୁଗୁଡ଼ା ରାଜ୍ୟର ଉତପ୍ତ ସହର ପାଲଟିଥିବାବେଳେ ଦିନରେ ତାପମାତ୍ରା ୪୫.୨ଡିଗ୍ରୀ ଥିଲା ।
ସେହିପରି ବୌଦ୍ଧରେ ୪୪.୫ ଡିଗ୍ରୀ, ସମ୍ବଲପୁରରେ ୪୪.୨ଡିଗ୍ରୀ, ଟିଟିଲାଗଡ଼ରେ ୪୪ଡିଗ୍ରୀ, ଭବାନୀପାଟଣା ଓ ହୀରାକୁଦରେ ୪୩.୬ଡିଗ୍ରୀ, ନୂଆପଡ଼ାରେ ୪୩.୨ଡିଗ୍ରୀ ଥିବା ଜଣାପଡ଼ିଛି । ସେହିପରି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ଥିଲା ବୋଲି କୁଆଯାଇଛି । ରାଜଧାନୀ ଭୁବନେଶ୍ୱରରେ ଆଜି ୩୭.୭ଡିଗ୍ରୀ ରେକର୍ଡ ହୋଇଥିବାବେଳେ କଟକରେ ତାହା ୩୭ ଡିଗ୍ରୀ ଥିବା କୁହାଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ତାପମାତ୍ରା ଓ ଗୁଳୁଗୁଳି ମେ ଶେଷ ସପ୍ତାହ ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି ।
ଏଭଳି ସ୍ଥିତିରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୮ ଓ ୨୯ତାରିଖ ଆଡକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସହ ପରବର୍ତୀ ସମୟରେ ଲଘୁଚାପରେ ପରିରତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ଆକଳନରୁ ଜଣାପଡ଼ିଛି ।
ଦକ୍ଷିଣ ଓଡ଼ିଶା ଉପରେ ଆଜି ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି । ଏହାର ପ୍ରଭାବରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।