ପର୍ଯ୍ୟଟନର ବିକାଶ ପାଇଁ ଗଠିତ ହେବ ‘ଲ୍ୟାଣ୍ଡବ୍ୟାଙ୍କ’
ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶକୁ ତ୍ୱରାନ୍ୱିତ କରାଯିବ । ଧଉଳିର ପୁନର୍ବିକାଶଠୁ ଆରମ୍ଭ କରି ପର୍ଯ୍ୟଟନ କ୍ଷେତ୍ରରେ ଇ-ଯାନର ବ୍ୟବହାରକୁ ଗୁରୁତ୍ୱ ଦିଆଯିବ । କେବଳ ଏହା ନୁହେଁ, ଅନ୍ୟ ଶିଳ୍ପ ଢାଂଚାରେ ପର୍ଯ୍ୟଟନ ଶିଳ୍ପ ନିମନ୍ତେ ମଧ୍ୟ ଲ୍ୟାଣ୍ଡବ୍ୟାଙ୍କ ଗଠନ କରାଯିବ ବୋଲି ମଙ୍ଗଳବାର ପର୍ଯ୍ୟଟନ ବିଭାଗର ଏକ ସମୀକ୍ଷା ବୈଠକରେ ରାଜ୍ୟ ସରକାର ସୂଚନା ଦେଇଛନ୍ତି ।
ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଅଧ୍ୟକ୍ଷତା କରିଥିଲେ । ରାଜ୍ୟରେ ଚାଲିଥିବା ବିଭିନ୍ନ ପର୍ଯ୍ୟଟନ ଭିତିଭୂମି ପ୍ରକଳ୍ପ, ପର୍ଯ୍ୟଟନ ସ୍ଥଳୀର ବିକାଶମୂଳକ କାର୍ଯ୍ୟ ଏବଂ ପ୍ରଚାର ପ୍ରସାରର ସ୍ଥିତି ଆଲୋଚନା ହୋଇଥିଲା ।
ଶ୍ରୀମତୀ ପରିଡ଼ା ଧଉଳି ଆଖପାଖରେ ହେବାକୁ ଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଏହି ଐତିହ୍ୟ ସ୍ଥଳରେ ପର୍ଯ୍ୟଟକମାନଙ୍କ ଅନୁଭୂତିକୁ ଅଧିକ ସମୃଦ୍ଧ କରିବା ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିଥିଲେ । ଧଉଳି ମାଷ୍ଟର ପ୍ଲାନର ଏକ ଅଂଶ ସ୍ୱରୂପ ପରିବେଶ ଅନୁକୂଳ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଏବଂ ପର୍ଯ୍ୟଟକମାନଙ୍କୁ ଅଧିକ ସୁବିଧା ଯୋଗାଇଦେବା ପାଇଁ ସେ ପର୍ଯ୍ୟଟକ ଓ ସ୍ଥାନୀୟ ଯାତାୟାତ ନିମନ୍ତେ ଇ-ଯାନର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ ।
ସେହିପରି ଭୁବନେଶ୍ୱର-ପୁରୀ କରିଡର ମଧ୍ୟରେ ଥିବା କପିଳେଶ୍ୱର ଓ ସୁଖମେଶ୍ୱର ମନ୍ଦିର ସହିତ ଦାସିଆ ବାଉରୀ ପୀଠ ଏବଂ ଅନ୍ୟାନ୍ୟ ଐତିହ୍ୟ ସ୍ଥଳଗୁଡ଼ିକର ସୌନ୍ଦର୍ଯ୍ୟକରଣ ଏବଂ ସମନ୍ୱିତ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ହୋମଷ୍ଟେ, ଆଡଭେଂଚର ପର୍ଯ୍ୟଟନ, ପର୍ଯ୍ୟଟକଙ୍କ ସୁରକ୍ଷା ଓ ନିରାପତା ଏବଂ ପ୍ରମୁଖ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ପରିମଳ ବ୍ୟବସ୍ଥା ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଥିଲା ।
ପର୍ଯ୍ୟଟନ ଭିତିଭୂମି ତଥା ପୁଞ୍ଜିନିବେଶକୁ ସହଜ କରିବା ପାଇଁ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ ଲ୍ୟାଣ୍ଡ ବ୍ୟାଙ୍କ ଗଠନ ଉପରେ ଗୁରୁତ୍ୱ ଦେଇଥିଲେ ।
ବୈଠକରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପର୍ଯ୍ୟଟନ ବିଭାଗର କମିସନର ତଥା ଶାସନ ସଚିବ ବଳବନ୍ତ ସିଂହ, ବିଧାୟକ ବାବୁ ସିଂହ, ନିର୍ଦେଶକ ଦୀପଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।