ଓଡ଼ିଶାକୁ ରେଳମନ୍ତ୍ରୀଙ୍କ ଅଭିନନ୍ଦନ
ଭାରତ ସେମିକଣ୍ଡକ୍ଟର ମିସନରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଉଛି ।
ରାଜ୍ୟରେ ଅତ୍ୟାଧୁନିକ ସବଷ୍ଟ୍ରେଟ ମ୍ୟାନୁଫାକଚରିଂ ପ୍ରଯୁକ୍ତି ଆରମ୍ଭ ପାଇଁ ଇଂଟେଲ ଓ ୩ଡି ଗ୍ଲାସ ସଲ୍ୟୁସନ୍ସ ସହିତ ରାଜ୍ୟ ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ଏହି ସହଯୋଗିତା ଦେଶରେ ଏକ ସମ୍ପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳ ପ୍ରସ୍ତୁତ କରିବାରେ ସହାୟତ ହେବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ସେମିକଣ୍ଡକ୍ଟର ଉତ୍ପାଦନରେ ସବଷ୍ଟ୍ରେଟ ମ୍ୟାନୁଫାକଚରିଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଭିନ୍ନ ପ୍ରକାର ଇଲେକ୍ଟ୍ରୋନିକ୍ସ ଡିଭାଇସରେ ବ୍ୟବହାର ହେଉଥିବା ଚିପର କନେକ୍ସନ ଓ ସହାୟକ ଢାଂଚାକୁ ଏହା ସକ୍ଷମ କରିଥାଏ । ଏହି ବୁଝାମଣା ପାଇଁ ସେ ଓଡ଼ିଶା ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏହି ସହଯୋଗିତା ଚିପ ପ୍ୟାକେଜିଂ ଓ ତତ୍ ସଂକ୍ରାନ୍ତୀୟ ପ୍ରଯୁକ୍ତିରେ ଦେଶରେ ଦକ୍ଷତାକୁ ବଢ଼ାଇବ । କୃତ୍ରିମ ବୁଦ୍ଧିମତା (ଏଆଇ), ହାଇ ପରଫରମାନ୍ସ କମ୍ପ୍ୟୁଟିଂ ଓ ପରବର୍ତୀ ପିଢ଼ିର କଞ୍ଜୁ୍ୟମର ଇଲେକ୍ଟ୍ରୋନିକ୍ସ ପାଇଁ ଏହା ସହାୟକ ହେବ । ଏହି ରାଜିନାମା ସ୍ୱାକ୍ଷର ଅବସରରେ ମୁଖ୍ୟ ସଚିବ ଅନୁ ଗର୍ଗ, ଇଲେକ୍ଟ୍ରୋନିକ୍ସ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଓ ବହୁ ପଦାଧିକାରୀ ଉପସ୍ଥିତ ଥିଲେ ।
ଗତ ଏପ୍ରିଲରେ ଇନଫୋଭ୍ୟାଲିରେ ଭାରତର ପ୍ରଥମ ଅତ୍ୟାଧୁନିକ ୩ଡି ଚିପ ପ୍ୟାକେଜିଂ କାରଖାନାର ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା ।
୩ଡି ଗ୍ଲାସ ସଲ୍ୟୁସନ୍ସର ଏହି ପ୍ରକଳ୍ପରେ ୨ହଜାର କୋଟି ଟଙ୍କା ନିବେଶ ହେବ । ଏଥିରେ ବାର୍ଷିକ ୭୦ହଜାର ଗ୍ୟାସ ପ୍ୟାନେଲ ଉତ୍ପାଦନ କରାଯିବ ଏବଂ ୫୦ ନିୟୁତ ଆମ୍ବେଲଡ ୟୁନିଟ ଓ ୧୩ହଜାର ଅତ୍ୟାଧୁନିକ ୩ଡି ହେଟେରୋଜିନିଅସନ ଇଂଟିଗ୍ରେସନ ମଡ୍ୟୁଲ ବିକାଶ କରାଯିବ ବୋଲି କୁହାଯାଇଛି ।