ଭୁଶୁଡ଼ିପଡ଼ିଲା ବେତୱା ନଦୀ ପୋଲ, ୬ ମୃତ
ନଦୀ ଉପରେ ନିର୍ମାଣାଧୀନ ପୋଲଟି ହଠାତ୍ ଭୁଶୁଡ଼ି ପଡ଼ିବା କାରଣରୁ ୬ଜଣଙ୍କ ଜୀବନହାନୀ ଘଟିଛି । ଘଟଣା ପରେ ଅଂଚଳରେ ଉତେଜନା ପ୍ରକାଶ ପାଇଛି ।
ଘଟଣାଟି ଶୁକ୍ରବାର ଘଟିଥିବାବେଳେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ପହଂଚି ମୃତାହତଙ୍କୁ ଉଦ୍ଧାର କରି ହାସପାତାଳ ପଠାଇବାର ବ୍ୟବସ୍ଥା ଜାରି ରଖିଛନ୍ତି । ପୁଲିସ ବିଭାଗ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସଂପୃକ୍ତ ବିଭାଗକୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି । ଜଣାପଡ଼ିଛି ଯେ ଶୁକ୍ରବାର ଭୋର ପ୍ରାୟ ୩ଟାରେ ଉତରପ୍ରଦେଶରେ ଏହି ଦୁର୍ଘଟଣା ଘଟିଛି ।
ହମିରପୁରରେ ବେତୱା ନଦୀ ଉପରେ ନିର୍ମାଣାଧୀନ ପୋଲର ଏକ ଅଂଶ ହଠାତ ଭୁଶୁଡ଼ି ପଡ଼ିବାଦ୍ୱାରା ତାହା ତଳେ ଶୋଇଥିବା ୬ଜଣଙ୍କୁ ମୃତ ଅବସ୍ଥାରେ ପୁଲିସ ଉଦ୍ଧାର କରିଛି । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଭଗ୍ନାବଶେଷ ତଳେ ଆହୁରି ମୃତଦେହ ଓ ଆହତମାନେ ରହିଛନ୍ତି କି ନାହିଁ ତାହା ନେଇ ଉଦ୍ଦାରକାରୀ ଦଳ ଅନୁସନ୍ଧାନ ଜାରି ରଖିଛି ।
ଦୁର୍ଘଟଣା କେଉଁ କାରଣରୁ ହେଲା ତାହା ନେଇ ବରିଷ୍ଠ ପୁଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ତଦନ୍ତ ଜାରି ରଖିଛନ୍ତି ।
ହମିରପୁରର ଲାଲପୁରା ଥାନା ଅନ୍ତର୍ଗତ ମୋରା କାଦର ଗ୍ରାମ ଏବଂ କୁରାରା ଥାନା ଅନ୍ତର୍ଗତ କାଣ୍ଡୋର ଗ୍ରାମ ମଧ୍ୟରେ ବେତୱା ନଦୀ ଉପରେ ପୋଲ ନିର୍ମାଣ କରାଯାଉଥିଲା । ଏହି ପୋଲ କୁରାରାର ମୋର୍କନ୍ଦର ପରସାନିରୁ ନୈଥି ଗ୍ରାମ ପର୍ଯ୍ୟନ୍ତ ଲମ୍ବିଥିଲା । ଗତକାଲି ରାତିରେ ସେତୁ ନିର୍ମାଣରେ ନିୟୋଜିତ ଶ୍ରମିକମାନେ ଶୋଇଥିବାବେଳେ ହଠାତ୍ ସେତୁର ସ୍ଲାବ ଭୁଶୁଡ଼ି ପଡ଼ିଥିଲା ।
ପ୍ରବଳ ବର୍ଷା ଓ ଝଡ଼ କାରଣରୁ ଏହା ହୋଇଥାଇପାରେ ବୋଲି ପ୍ରଶାସନ ଅନୁମାନ କରୁଛି । ଅପରାହ୍ନ ଆଡ଼କୁ ଆହୁରି ୩ଜଣଙ୍କୁ ଉଦ୍ଧାର କରାଯାଇ ହାସପାତାଳ ପଠାଯାଇଥିବା ଜଣାପଡ଼ିଛି ।