ସୁପ୍ରିମ କୋର୍ଟର ବଡ଼ ରାୟ
ହିିନ୍ଦୁ, ଶିଖ କିମ୍ବା ବୌଦ୍ଧ ବ୍ୟତୀତ ଅନ୍ୟ ଧର୍ମ ଗ୍ରହଣ କଲେ ମିଳିବନି ଏସସି ମାନ୍ୟତା
ସୁପ୍ରିମ କୋର୍ଟଙ୍କ ପକ୍ଷରୁ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରାଯାଇଛି । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁସାରେ ଯଦି କୌଣସି ବ୍ୟକ୍ତି ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଗ୍ରହଣ କରନ୍ତି, ତେବେ ତାଙ୍କୁ ଅନୁସୂଚିତ ଜାତି (ଏସସି)ର ମାନ୍ୟତା ମିଳିପାରିବ ନାହିଁ ।
ଅନ୍ୟ ଧର୍ମକୁ ଧର୍ମାନ୍ତରିତ ହେଲେ ଏହି ମାନ୍ୟତା ସ୍ୱତଃ ରଦ୍ଧ ହୋଇଯିବ ବୋଲି ସ୍ପଷ୍ଟ କରାଯାଇଛି । ବିଚାରପତି ପି.କେ ମିଶ୍ର ଏବଂ ଏନ୍.ଭି ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଏକ ରାୟକୁ କାଏମ ରଖିଛନ୍ତି ।
ହାଇକୋର୍ଟ ନିଜ ରାୟରେ କହିଥିଲେ ଯେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିବା ଏବଂ ସକ୍ରିୟ ଭାବେ ସେହି ଧର୍ମ ପାଳନ କରୁଥିବା ବ୍ୟକ୍ତିମାନେ ନିଜର ଏସସି ମାନ୍ୟତା ବଜାୟ ରଖିପାରିବେ ନାହିଁ । ଏହି ପ୍ରସଙ୍ଗରେ ସୁପ୍ରିମ କୋର୍ଟ କହିଛନ୍ତି ଯେ ସମ୍ବିଧାନ (ଅନୁସୂଚିତ ଜାତି) ଆଦେଶ, ୧୯୫୦ରେ ଏହି ବ୍ୟବସ୍ଥା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ।
ଯେକୌଣସି ବ୍ୟକ୍ତି ୧୯୫୦ ଆଦେଶର ଧାରା ୩ ଅଧିନରେ ଥିବା ଧର୍ମ ବ୍ୟତୀତ ଅନ୍ୟ ଧର୍ମ ପାଳନ କରନ୍ତି, ସେ ଜନ୍ମରୁ ଯାହା ବି ହୋଇଥାଆନ୍ତୁ ନା କାହିଁକି, ଅନୁସୂଚିତ ଜାତିର ସଦସ୍ୟ ହୋଇ ରହିବେ ନାହିଁ । କୋର୍ଟ ଆହୁରି ଦର୍ଶାଇଛନ୍ତି ଯେ ଏଭଳି ବ୍ୟକ୍ତିମାନେ ସମ୍ବିଧାନ କିମ୍ବା ସଂସଦ କିମ୍ବା ରାଜ୍ୟ ବିଧାନସଭା ଦ୍ୱାରା ପ୍ରଣୀତ କୌଣସି ଆଇନ୍ ଅଧୀନରେ ଅନୁସୂଚିତ ଜାତି ପାଇଁ ଉଦ୍ଦିଷ୍ଟ କୌଣସି ସାମ୍ବିଧାନିକ ସୁବିଧା, ସୁରକ୍ଷା, ସଂରକ୍ଷଣ କିମ୍ବା ଅଧିକାର ଦାବି କରିପାରିବେ ନାହିଁ ।
ଏହି ବାରଣ ସମ୍ପୂର୍ଣ୍ଣ ରୂପେ ଲାଗୁ ହେବ ଏବଂ ଏଥିରେ କୌଣସି ବ୍ୟତିକ୍ରମ ଗ୍ରହଣଯୋଗ୍ୟ ନୁହେଁ ।
ଏହି ରାୟ ଏକ ଏପରି ମାମଲରେ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବା ସହ ପାଦ୍ରୀ ଭାବେ କାମ କରୁଥିଲେ । ସେ ଅନୁସୂଚିତ ଜାତି ଏବଂ ଜନଜାତି (ଅତ୍ୟାଚାର ନିବାରଣ) ଆଇନ (ଏସସି/ଏସଟି ଆକ୍ଟ) ଅଧିନରେ ନିଜ ଉପରେ ଆକ୍ରମଣ ଏବଂ ଜାତିଗତ ଅପମାନ ଅଭିଯୋଗ ଆଣି ଏକ ମାମଲା ରୁଜୁ କରିଥିଲେ । ଅଭିଯୁକ୍ତ ପକ୍ଷ ଏହାକୁ ଚ୍ୟାଲେଞ୍ଜ କରି ଯୁକ୍ତି ବାଢ଼ିଥିଲେ ଯେ ଧର୍ମାନ୍ତରୀକରଣ ପରେ ଅଭିଯୋଗକାରୀ ଆଉ ଏହି ଆଇନ୍ ଅଧୀନରେ ସୁରକ୍ଷା ପାଇବାକୁ ହକଦାର ନୁହଁନ୍ତି ।
ପ୍ରମାଣରୁ ସ୍ପଷ୍ଟ ହୋଇଥିଲା ଯେ ଅଭିଯୋଗକାରୀ ଦଶନ୍ଧିରୁ ଅଧିକ ସମୟ ଧରି ଖ୍ରୀଷ୍ଟିଆନ ଧର୍ମ ପାଳନ କରି ଆସୁଛନ୍ତି ଏବଂ ତାଙ୍କ ନିକଟରେ କେବଳ ଏକ ଜାତି ପ୍ରମାଣପତ୍ର ରହିବା ତାଙ୍କୁ ସୁବିଧା ପ୍ରଦାନ କରିବାକୁ ଯଥେଷ୍ଟ ନୁହେଁ ।