୬୧ ସହରରେ ନିର୍ମାଣ ହେବ ୫୩୪୩ ପିଏମ ଆବାସ
କେନ୍ଦ୍ରର ଅନୁମୋଦନ ପାଇଁ ପଠାଇଲା ରାଜ୍ୟ
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ରେ ରାଜ୍ୟର ୬୧ଟି ସହରାଂଚଳରେ ୫୩୪୩ଟି ଘର (ଫ୍ଲାଟ) ନିର୍ମାଣ ହେବ ।
ଏହା ନେଇ ରାଜ୍ୟସ୍ତରୀୟ ମଞ୍ଜୁରି ଓ ତଦାରଖ କମିଟି (ଏସଏଲଏସଏମସି) ବୈଠକରେ ଅନୁମୋଦନ ହୋଇଛି । ଏଥିରେ ୬୧ଟି ସହରରେ ମୋଟ ୬୫ଟି ପ୍ରକଳ୍ପ ହେବାକୁ ଥିବାବେଳେ ଏଥିାପଇଁ ୩୪୭.୨୯୫ କୋଟି ଟଙ୍କା ଖର୍ଚ ହେବ । ଏଥିରୁ କେନ୍ଦ୍ର ସରକାର ୮୦.୧୪୫ କୋଟି ଟଙ୍କା ଦେବାକୁ ଥିବାବେଳେ ରାଜ୍ୟ ସରାକର ୫୩.୪୩ କୋଟି ଟଙ୍କା ଦେବେ ।
ଏହି ୮୦.୧୪୫ କୋଟି ଟଙ୍କା କେନ୍ଦ୍ରୀୟ ଅଂଶକୁ କେନ୍ଦ୍ରୀୟସ୍ତରୀୟ ମଞ୍ଜୁରି ଓ ତଦାରଖ କମିଯି (ସିଏସଏମସି) ଦ୍ୱାରା ମଞ୍ଜୁର କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କେନ୍ଦ୍ର ଗୃହନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି । ମିଳିଥିବା ସୂଚନା ଅନୁାରେ ଆସନ୍ତା ୨୦ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତି ଉପଲକ୍ଷେ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗ ଦେବେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ବହୁ ପ୍ରକଳ୍ପ ଭେଟି ଦେବାକୁ ଥିବାବେଳେ ପିଏମ ଆବାସ ଯୋଜନାରେ ୬୧ଟି ସହର ପାଇଁ ହିତାଧିକାରୀଙ୍କୁ ଘର ଆବଂଟନ କରିବାର ଯୋଜନା ଅଛି । ଏହାକୁ ନଜରରେ ରଖି ରାଜ୍ୟ ସରାକରଙ୍କ ପକ୍ଷରୁ ଏବେ କେନ୍ଦ୍ରକୁ ଏହି ପ୍ରସ୍ତାବ ପଠାଯାଇଛି । ନଗର ଉନ୍ନୟନ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ଆର୍ଥିକ ଦୁର୍ବଳ ବର୍ଗଙ୍କୁ ଏହି ୫୩୪୩ଟି ଘର ଆବଂଟନ କରାଯିବ । ଏଥିରେ ଭାରତ ସରକାରଙ୍କ ସହାୟତା ବାବଦକୁ ପ୍ରତି ଘର ପିଛା ଦେଢ଼ ଲକ୍ଷ ଟଙ୍କା ହିସାବରେ ୮୦.୧୪୫କୋଟି ଟଙ୍କା ମିଳିବ ।
ରାଜ୍ୟ ସରକାର ବି ତାଙ୍କର ଭାଗ ବାବଦକୁ ପ୍ରତି ଘର ପିଛା ୧ଲକ୍ଷ ଟଙ୍କା ହିସାବରେ ୫୩.୪୫କୋଟି ଟଙ୍କା ଦେବେ । ଯେଉଁ ହିତାଧିକାରୀମାନେ ଘର ପାଇବେ ସେମାନେ ପ୍ରତି ଘର ପିଛା ୪ଲକ୍ଷ ଟଙ୍କା ହିସାବରେ ମୋଟ ୨୧୩.୭୨କୋଟି ଟଙ୍କା ଦେବେ । ଏହାକୁ ସେମାନେ ନିଜ ଦେଇପାରିବେ କିମ୍ବା ବ୍ୟାଙ୍କରୁ ଋଣ ଆକାରରେ ଦେବେ ।
ଜଣାପଡ଼ିଛି ଯେ ଭଦ୍ରକ ମ୍ୟୁନିସିପାଲିଟିରେ ସର୍ବାଧିକ ୫୯୧ଟି ଘର ନିର୍ମାଣ ହେବାକୁ ଥିବାବେଳେ ରେମୁଣାରେ ୫୮୮ଟି, ଦଶପଲ୍ଲାରେ ୩୦୦ଟି, ଭୁବନେଶ୍ୱରରେ ୧୭ଟି ହେବ । ସେହିପରି ୬୧ଟି ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନଏସିରେ ଘର ନିର୍ମାଣ କରିବାକୁ ଯୋଜନା ଅଛି ।
ଏହାବାଦ ପିଏମ ଆବାସର ପ୍ରକଳ୍ପ ପରିଚାଳନା ପାଇଁ ପ୍ରତିଷ୍ଠା ହୋଇଥିବା ଏସଏଲଟିସି ବାବଦକୁ ୧୬କୋଟି ୨୨ଲକ୍ଷ ଟଙ୍କା ଖର୍ଚ ହେବ । ଏଥିପାଇଁ କେନ୍ଦ୍ର ସରକାର ୯.୭୩୩୨ କୋଟି ଦେବାକୁ ଥିବାବେଳେ ରାଜ୍ୟ ସରାକର ୬.୪୮୮କୋଟି ଟଙ୍କା ଦେବେ ।