ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ଦୁର୍ଘଟଣା, ୩ ଛାତ୍ର ମୃତ
ମୁମ୍ବାଇରେ ମୁଭି ନାଇଟ୍ ପରେ ଲୋନାଭଲାରେ ସୂର୍ଯେ୍ୟାଦୟ ଦେଖିବାକୁ ଯାଇଥିଲେ, ହେଲେ ଜଣା ନଥିଲା ଯେ ଏହା ସେମାନଙ୍କ ପାଇଁ ଶେଷ ସୂର୍ଯେ୍ୟାଦୟ ହେବ ।
ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଜଣାପଡ଼ିଛି ଯେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ବମ୍ବେ ଆଇଆଇଟିର ତିନିଜଣ ମେଧାବୀ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଗୁରୁବାର ସକାଳ ପ୍ରାୟ ୮ଟା ୪୦ମିନିଟ୍ରେ ଭାଟାଲ ସୁଡ଼ଙ୍ଗ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।
ଛାତ୍ରମାନେ ଯାତ୍ରା କରୁଥିବା କାର୍ଟି ଏକ କଂଟେନରକୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିବାବେଳେ ପଛପଟୁ ଧକ୍କା ଦେଇଥିଲା । ଯାହାଦ୍ୱାରା ଭାରସାମ୍ୟ ହରାଇ ଗାଡ଼ିଟି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ।
ଘଟଣା ସମ୍ବନ୍ଧରେ ଖବର ପାଇ ସ୍ଥାନୀୟ ପୁଲିସ କଟର ସାହାଯ୍ୟରେ କାରକୁ କାଟି ଛାତ୍ରମାନଙ୍କୁ ଭିତରୁ ବାହାରି କରି କାମୋଥେସ୍ଥିତ ଏମଜିଏମ୍ ହାସପାତାଳକୁ ପଠାଇଥିଲେ । କିନ୍ତୁ ଡାକ୍ତର ସେଠାରେ ସେମାନଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।
ମୃତ ଛାତ୍ରମାନେ ହେଲେ ଓମକୁମାରନୀତି ବୋର୍ସେ (୨୩), ଶେୟାଂଶ ନରେଶ ଶର୍ମା (୨୦) ଓ ଲୟ ପ୍ରଶାନ୍ତ ଦେଶଭ୍ରାତର (୨୧) ।
ଘଟଣାରେ ପୁଲିସ ଏକ ଏଫ୍ଆଇଆର ରୁଜୁ କରି ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି, ଦୁର୍ଘଟଣା ଘଟାଇଥିବା କଂଟେନରକୁ ପୁଲିସ ଖୋଜୁଛି ।