ଘରୋଇ ବିଦ୍ୟାଳୟ ମନମାନୀ କଲେ କାର୍ଯ୍ୟାନୁଷ୍ଠାନ
ସବୁ ଘରୋଇ ବିଦ୍ୟାଳୟ (ସ୍କୁଲ) ସରକାରୀ ନିୟମକୁ ଗୁରୁତ୍ୱ ଦେବା ଜରୁରୀ । ଭିନ୍ନ ଭିନ୍ନ ପବ୍ଲିକେସନ ପୁସ୍ତକ ପଢ଼ାଯାଉଥିବା ଅଭିଯୋଗ ହେଉଛି ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମତ ଦେଇଛନ୍ତି ।
ଘରୋଇ ବିଦ୍ୟାଳୟଗୁଡ଼ିକ ଯଦି ପାଠପଢ଼ାରେ ଅବହେଳା କିମ୍ବା ଶିକ୍ଷାଦାନ କ୍ଷେତ୍ରରେ ମନମାନୀ ଆଚରଣ ପ୍ରଦର୍ଶନ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ସୂଚାଇଛନ୍ତି ।
ପୁସ୍ତକ ବିକ୍ରି ନାମରେ ଅଭିଭାବକଙ୍କ ପକେଟ କାଟୁଥିବା ବିଦ୍ୟାଳୟଗୁଡ଼ିକୁ ଚେତାବନୀ ଦିଆଯାଇଛି । ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଏଣିକି ଘରୋଇ ସ୍କୁଲରେ ଏନସିଇଆରଟି ପୁସ୍ତକ ପଢ଼ାଯିବା ବାଧ୍ୟତାମୂଳକ ହେବ ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ କେତେକ ବେସରକାରୀ ଶିକ୍ଷାନୁଷ୍ଠାନ ଅଧିକ ଲାଭ ଆଶାରେ ନିଜସ୍ୱ ପୁସ୍ତକ ପଢ଼ିବାକୁ ପିଲାଙ୍କୁ ବାଧ୍ୟ କରିଥାଆନ୍ତି । ଯାହା ଶିକ୍ଷା ନୀତିର ଉଲ୍ଲଂଘନ ଅଟେ ।
ନୂତନ ଜାତୀୟ ଶିକ୍ଷା ନୀତି ଅନୁସାରେ ପିଲାମାନେ ଏନସିଇଆରଟି ପୁସ୍ତକ ପଢ଼ିବା ଆବଶ୍ୟକ, ଯାହା ସୁଲଭ ମୂଲ୍ୟରେ ଉପଲବ୍ଧ । ଏଣିକି ଏଭଳି ମନମାନୀ ପ୍ରଦର୍ଶନ କଲେ ସେମାନଙ୍କ ବିରୋଧରେ ଅଙ୍କୁଶ ଲଗାଇବାକୁ ବିଭାଗ ରୋଡମ୍ୟାପ ପ୍ରସ୍ତୁତ କରୁଛି ।
ଯାହାକି ଖୁବଶୀଘ୍ର ବିଧିବଦ୍ଧ ଭାବେ ନିର୍ଦେଶନାମା ଜାରି ହେବାକୁ ଯାଉଛି ।