ନକଲି ଇଞ୍ଜେକ୍ସନ ଯୋଗୁଁ ୫ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ
ରାଜସ୍ଥାନର ସରକାରୀ ହସ୍ପିଟାଲଗୁଡ଼ିକୁ ଯୋଗାଇ ଦିଆଯାଇଥିବା ଅକ୍ସିଟୋସିନ ଇଞ୍ଜେକ୍ସନ ନକଲି ପ୍ରମାଣିତ ହେବା ପରେ ସମଗ୍ର ରାଜ୍ୟରେ ଉତେଜନା ପ୍ରକାଶ ପାଇଛି ।
କୋଟାର ନ୍ୟୁ ମେଡ଼ିକାଲ କଲେଜ ହସ୍ପିଟାଲରେ ଏହି ଇଞ୍ଜେକ୍ସନ ନେବା ପରେ ପ୍ରସବ କରିଥିବା ୫ଜଣ ମହିଳାଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି । ପ୍ରସୂତି ମହିଳାଙ୍କ ଅତ୍ୟଧିକ ରକ୍ତସ୍ରାବ ରୋକିବା ପାଇଁ ଏହି ଇଞ୍ଜେକ୍ସନ ଦିଆଯାଉଥିବା ବେଳେ ଲ୍ୟାବ ପରୀକ୍ଷାରୁ ଜଣାପଡ଼ିଛି ଯେ ଏଥିରେ ରକ୍ତ ଜମାଟ ବାନ୍ଦିବା ପାଇଁ ଆବଶ୍ୟକ ମୁଖ୍ୟ ଉପାଦାନ ହିଁ ନଥିଲା ।
ଏହି ଭୟଙ୍କର ଅବହେଳା ସାମ୍ନାକୁ ଆସିବା ମାତ୍ରେ ରାଜ୍ୟ ଔଷଧ ନିୟନ୍ତ୍ରଣ ବିଭାଗ ତୁରନ୍ତ ଏହି ଔଷଧର ବିକ୍ରି ଓ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବା ସହ ସମଗ୍ର ରାଜ୍ୟରୁ ଏହାର ଷ୍ଟକ ଜବତ କରିବାକୁ ନିର୍ଦେଶ ଦେଇଛି ।
ଅମୃତସରର ‘ଜ୍ୟାକ୍ସନ ଲାବୋରେଟୋରିଜ’ଦ୍ୱାରା ପ୍ରସ୍ତୁତ ଏହି ଅକ୍ସିଟୋସିନ ଇଞ୍ଜେକ୍ସନ ନେବାର ୮ରୁ ୧୨ଘଂଟା ମଧ୍ୟରେ ମହିଳାମାନଙ୍କର ରକ୍ତଚାପ ଓ ପ୍ଲେଟଲେଟ ସଂଖ୍ୟା ହ୍ରାସ ପାଇବା ସହ କିଡନୀ ବିଫଳ ହେବା ଭଳି ଗୁରୁତର ସମସ୍ୟା ଦେଖାଦେଇଥିଲା । ଯାହା ଶେଷରେ ସେମାନଙ୍କର ପ୍ରାଣହାନୀର କାରଣ ସାଜିଥିଲା ।
ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଜୟପୁରର ଏସଏମଏସ ମେଡ଼ିକାଲ କଲେଜର ଏକ ବିଶେଷଜ୍ଞ ଦଳ କୋଟା ପହଂଚିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହି ମାମଲା ସହ ଜଡ଼ିତ ଚିକିତ୍ସା କର୍ମଚାରୀଙ୍କୁ ନିଲମ୍ବିତ କରିଛି । ତେବେ ରାଜ୍ୟରେ ନକଲି ଔଷଧ ବିରୋଧରେ ଚାଲିଥିବା ଏିହ ବଡ଼ ଧରଣର ଅଭିଯାନ ମଧ୍ୟରେ ଗତ ୧୦ଦିନରେ ଜ୍ୱର, ଆଲର୍ଜି, ଗ୍ୟାସ ସଂକ୍ରମଣ ଓ ଆଂଟିବାୟୋଟିକ ସମେ ୧୧ଟି ପ୍ରମୁଖ ଔଷଧ ନମୂନା ମଧ୍ୟ ଗୁଣବତା ପରୀକ୍ଷାରେ ଫେଲ ହୋଇଥିବା ଜଣାପଡ଼ିଛି । ଯାହା ବିଭିନ୍ନ ରାଜ୍ୟର କମ୍ପାଗୁଡ଼ିକ ଦ୍ୱାରା ସପ୍ଲାଇ କରାଯାଇଥିଲା ।