ମହାନଦୀରେ ଆସୁଛି ଆଉ ଏକ ବନ୍ୟା
କଟକ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ହେବ ପ୍ରଭାବିତ
ବଙ୍ଗୋପସାଗରରେ ଲଘୁଚାପ ହେତୁ ସୃଷ୍ଟ ଗଭୀର ଅବପାତ ଏବେ ପୁଣି ଲଗାଣ ବର୍ଷାର କାରଣ ପାଲଟିଛି ।
ଏଥିଯୋଗୁଁ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲା ବିଶେଷ କରି ଦକ୍ଷିଣ ଓ ଉତର ଓଡ଼ିଶାରେ ପ୍ରବଳ ବର୍ଷା ଓ ପବନ ଜାରି ରହିଥିଲା ।
ଏବେ ମହାନଦୀରେ ପୁଣି ଥରେ ବନ୍ୟା ଆସିବା ଭଳି ପରିସ୍ଥିତି ଦେଖାଦେଇଛି ।
ଯଦି ଏହା ହୁଏ ତା’ହେଲେ କଟକ ସମେତ ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଆଦି ଜିଲା ବିଶେଷ ଭାବେ ପ୍ରଭାବିତ ହେବ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସତର୍କ କରାଇଛନ୍ତି ।
ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରରୁ ୨୪ଟି ଗେଟ୍ରେ ବନ୍ୟାପାଣି ଛଡ଼ାଯାଇଛି । ଫଳରେ ରବିବାର ରାତିରେ ମୁଣ୍ଡୁଳିରେ ୨ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ।
ଆସନ୍ତା କାଲି ସୋମବାର ପୂର୍ବାହ୍ନ ୧୦ଟା ସୁଦ୍ଧା ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ତେବେ କୌଣସି ପରିସ୍ଥିତିରେ ୮ଲକ୍ଷ କ୍ୟୁସେକରୁ ଅଧିକ ଜଳ ନ ଛାଡ଼ିବାକୁ ଚେଷ୍ଟା କରାଯାଉଛି ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରାଉତ କହିଛନ୍ତି ।
ଏଥିଯୋଗୁଁ ଦେବୀ, କନ୍ଦଳ, କୁଶଭଦ୍ରା, ଦୟା, ଭାର୍ଗବୀ, ରାଜୁଆ ଓ ମକରାରେ ବନ୍ୟା ରହିବ । ସେହିପରି ଲୁଣା, କରାଣ୍ଡିଆ, ଚିତ୍ରୋତ୍ପଳା, କାଠଯୋଡ଼ି ଓ କୁଆଖାଇ ନଦୀରେ ବନ୍ୟା ଆସିବ । ଏହା ଦ୍ୱାରା ପୁରୀର କଣାସ, ବ୍ରହ୍ମଗିରି, ଗୋପ ଏବଂ ଜଗତସିଂହପୁରର ଏରସମା ଓ ବାଲିକୁାଦ ବ୍ଲକ ବିଶେଷ ଭାବେ ପ୍ରଭାବିତ ହେବ ।
ସେହିଭଳି କେନ୍ଦ୍ରାପଡ଼ାର ପାଟକୁରା, ଗରଦପୁର ମଧ୍ୟ ପ୍ରଭାବିତ ହୋଇପାରେ ବୋଲି ଜଳ ନିକାସନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରାଉତ କହିବା ସହ କଟକ ଜିଲାର ବାଙ୍କୀ, ବଡ଼ମ୍ବା ଓ ଆଠଗଡ଼ ବ୍ଲକ ମଧ୍ୟ ପ୍ରଭାବିତ ହୋଇପାରେ ବୋଲି ସତର୍କ କରାଇଛନ୍ତି ।








