ବିଜେଡିର କାରଣ ଦର୍ଶାଅ ନୋଟିସ ଉତର ରଖିଲେ ବିଧାୟକ
ରାଜ୍ୟସଭା ନିର୍ବାଚନରେ ବିଜେଡ଼ିିର ୬ଜଣ ବିଧାୟକ କ୍ରସ ଭୋଟି କରିଥିଲେ । ଦଳର ହ୍ୱିପ୍ ନ ମାନି ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । ଏହାକୁ ନେଇ ଦଳ ମଧ୍ୟରେ ବିତର୍କ ସୃଷ୍ଟି ହୋଇଛି । ବିଜେଡି ଗତ ୧୭ତାରିଖ ଦିନ କାରଣ ଦର୍ଶାଅ ନୋଟିସ ଜାରିକରି ଉତର ରଖିବାକୁ ତିନି ଦିନ ସମୟ ଦେଇଥିଲା ।
ଗତ ୧୬ ତାରିଖ ଦିନ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ନେଇ ବିଜେଡ଼ିର କାରଣ ଦର୍ଶାଅ ନୋଟିସ ପ୍ରସଙ୍ଗରେ ଦଳୀୟ ବିଧାୟକମାନେ ଉତର ରଖିଛନ୍ତି । ବିଜେଡିର ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି ଯେ ରାଜ୍ୟ ସଭା ନିର୍ବାଚନରେ ଦଳୀୟ ହୁଇପ୍ କାମ କରେ ନାହିଁ । ତେଣୁ ଏହି କ୍ଷେତ୍ରରେ ବିଜେଡି ହୁଇପ୍ ଜାରି କରିବା ବେଆଇନ୍ ଅଟେ । ସେ କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହାର ପାଇଁ କହିଛନ୍ତି । ସେ ଆହୁରି କହିଛନ୍ତି ଯେ କାରଣ ଦର୍ଶାଅ ନୋଟିସ୍ ତୁରନ୍ତ ପ୍ରତ୍ୟାହାର କରନ୍ତୁ ।
ସୂଚନାଯୋଗ୍ୟ ଯେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମିଲ୍ଲିକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ସେ ଦର୍ଶାଇଛନ୍ତି ଯେ ଆପଣ ବିଜେଡି ଟିକଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ରାଜ୍ୟସଭା ନିର୍ବାଚନ ବେଳେ ଆପଣ ଦଳର ଶୃଙ୍ଖଳା ଭାଙ୍ଗିଛନ୍ତି ଓ ଦଳର ବିଶ୍ୱାସକୁ ଧୋକା ଦେଇଛନ୍ତି ।
ବିଜେଡି ବିଧାୟକ ଦଳ ବୈଠକରେ ନିଆଯାଇଥିବା ନିଷ୍ପତିକୁ ଅମାନ୍ୟ କରି ବିଜେଡି ସମର୍ଥନ କରୁ ନଥିବା ଜଣେ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି । ଆପଣଙ୍କ କାର୍ଯ୍ୟଧାରାରୁ ସ୍ପଷ୍ଟ ବାରି ହୁଏ ଯେ ଆପଣ ବିଜେଡିର ସଦସ୍ୟତାକୁ ସ୍ୱେଚ୍ଛାକୃତ ଭାବେ ଛାଡ଼ୁଛନ୍ତି ।
ତେଣୁ ତିନିଦିନ ମଧ୍ୟରେ ୨୦ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଆପଣ ନିଜର ମତ ରଖିବେ । ଆପଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅର୍ଥାତ ଦଳରୁ ନିଳମ୍ବ କାହିଁକି କରାଯିବନି ? ଯଦି ସମୟସୀମା ମଧ୍ୟରେ ନୋଟିସର ଉତର ନ ମିଳେ, ତେବେ ଦଳ ପରବର୍ତୀ ପଦକ୍ଷେପ ଗ୍ରହଣ କରିବ ।
୬ ବିଧାୟକଙ୍କ ବିରୋଧରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତାହା ନେଇ ସେଦିନ ନବୀନ ନିବାସରେ ଚର୍ଚା ହୋଇଥିଲା । ତୁରନ୍ତ ନିଳମ୍ବନ କିମ୍ବା ବହିଷ୍କାର ପାଇଁ କିଛି ନେତା ମତ ଦେଇଥିଲେ । କିନ୍ତୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନେଇ ବିଭିନ୍ନ ଦିଗରୁ ତର୍ଜମା କରିବାକୁ ଆଉ କିଛି ନେତା ପ୍ରସ୍ତାବ ଦେଇଥିଲେ । କିଛି ବରିଷ୍ଠ ଆଇନ୍ଜୀବୀଙ୍କ ସହ ପରାମର୍ଶ କରାଯାଇଥିଲା । ଦଳର ସମ୍ବିଧାନକୁ ସମୀକ୍ଷା କରାଯାଇଥିଲା ।
ସେଥିପାଇଁ ଆବଶ୍ୟକ ଆଇନଗତ ପ୍ରକ୍ରିୟା ସ୍ୱରୂପ ପ୍ରଥମେ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ନିଷ୍ପତି ହୋଇଥିଲା ।