ବିହାର ବିଧାନସଭାକୁ ବୋମା ଧମକ
ବିହାର ବିଧାନସଭାକୁ ଶୁକ୍ରବାର ଇମେଲ ମାଧ୍ୟମରେ ବୋମା ଧମକ ଦିଆଯାଇଛି । ଘଟଣାକୁ କେନ୍ଦ୍ରକରି ବିଧାନସଭା ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।
ଘଟଣାକୁ ନେଇ ସଚିୱାଲେ-୧ ସବଡିଭିଜନାଲ ପୁଲିସ ଅଧିକାରୀ (ଏସଡିପିଓ) ଅନୁ କୁମାରୀ କହିଛନ୍ତି ଯେ ଆମ୍ଭେ ସୂଚନା ପାଇଲୁ ଯେ ବିହାର ବିଧାନସଭା ଅଧିକାରୀମାନେ ବୋମା ଧମକ ସମ୍ବଳିତ ଏକ ଇମେଲ ପାଇଛନ୍ତି । ତେଣୁ ପୁଲିସ ଏବେ ବିଧାନସଭା ପରିସରରେ ଯାଂଚ କାର୍ଯ୍ୟ ଆରମ୍ଭ କରିଛି ।
ବିଧାନସଭା ପରିସରରେ ତଲାସି ଜୋରଦାର କରାଯାଇଥିଲେ ବି କୌଣସି ବୋମା ସନ୍ଧାନ ମିଳିନାହିଁ । ମାର୍ଚ ୧୩ରେ ମଧ୍ୟ ବିଧାନସଭାକୁ ଏଭଳି ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା । ଯାହାକି ପରେ ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା ।
ଜଣାପଡ଼ିଛି ଯେ ଇ-ମେଲଟି ସକାଳ ୮ଟା ୧୪ମିନିଟରେ ବିଧାନସଭା ସହିତ ଜଡ଼ିତ ଥିବା ସମେତ ଅନେକ ସରକାରୀ ମେଲରେ ପହଂଚିଥିଲା । ଏହି ଚିଠିରେ ବିଧାନସଭା, ସଚିବାଳୟ, କିଛି ସ୍କୁଲ ଏବଂ ଏକ ମେଟ୍ରୋ ଷ୍ଟେସନରେ ଦିନର ବିଭିନ୍ନ ସମୟରେ ସମ୍ଭାବ୍ୟ ବିସ୍ଫୋରଣ ହେବାର ଧମକ ଦିଆଯାଇଥିଲା ।
ଇ-ମେଲରେ ଉଲ୍ଲେଖ କରାଯାଇଥିବା ସମସ୍ତ ସ୍ଥାନ ଯାଂଚ କରାଯାଉଛି । କେନ୍ଦ୍ରୀୟ ଓ ସମ୍ବେଦନଶୀଳ ଜୋନରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି ।
ଅତିରିକ୍ତ କର୍ମଚାରୀ ନିୟୋଜିତ ଏବଂ ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ ଉପରେ ନଜର ରଖାଯାଇଛି ।
ସାଇବର ଦଳ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି ।