ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି
ପ୍ରଥମ ଦିନରେ ଚଳନ୍ତି ଭଣ୍ଡାରର ୮୦% ଗଣତି ଶେଷ
ପୂର୍ବ ନିର୍ଘଂଟ ଅନୁସାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଗଣତିମଣତି ବୁଧବାରଠାରୁ ଆରମ୍ଭ ହୋଇଛି ।
ପ୍ରଥମ ଦିନରେ ଚଳନ୍ତି ଭଣ୍ଡାରର ଅଳଂକାର ଗଣତିମଣତି କରାଯାଇଛି । ବୁଧବାର ଚଳନ୍ତି ଭଣ୍ଡାର ୮୦% ଅଳଂକାର ଗଣତି କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚାଇଛନ୍ତି । ଶ୍ରୀ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି ଯେ କଠୋର ସୁରକ୍ଷା ବଳୟ ମଧ୍ୟରେ ମୂଲ୍ୟବାନ ରତ୍ନ ଅଂଳକାର ଗଣତି କାର୍ଯ୍ୟ କରାଯାଇଛି ।
ଏହି କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତି ବିଶେଷ ବୁଧବାର ମଧ୍ୟାହ୍ନରେ ପ୍ରବେଶ କରିଥିଲେ, ପ୍ରାୟ ୬ ଘଂଟା ଗଣତି ହୋଇଥିଲା । ଗଣତି ସମୟରେ ଫଟୋ ଭିଡ଼ିଓ, ଭିଡ଼ିଓ ରେକର୍ଡିଂ ଓ ୩ଡି ମ୍ୟାପିଂ ଇତ୍ୟାଦି କରାଯାଇଥିଲା । ସେ ଆହୁରି କହିଛନ୍ତି ଯେ ଚଳନ୍ତି ଭଣ୍ଡାର ପରେ ବାହାର ଭଣ୍ଡାର ଗଣତି ହେବ ।
ଶେଷରେ ଭିତର ରତ୍ନଭଣ୍ଡାର ଗଣତି ହେବ । ରାଜ୍ୟ ସରକାରଙ୍କ ଏସଓପି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ନିର୍ଦେଶ ଅନୁସାରେ ପ୍ରକ୍ରିୟା ଜାରି ରହିଛି ।
ସୂଚନାଯୋଗ୍ୟ ଯେ ଶୁଦ୍ଧପୁତ ଭାବେ ସ୍ୱତନ୍ତ୍ର ଏକକ ପାରମ୍ପରିକ ପରିଧାନ ସହ କେବଳ ଅଧିକୃତ ସଦସ୍ୟମାନେ ଗଣତି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।
ପ୍ରତ୍ୟେକ ସଦସ୍ୟ ଏସଓପିର ପ୍ରତିଟି ବିଷୟକୁ ଗୁରୁତ୍ୱପୂର୍ବକ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ।
ଗଣତି ବେଳେ ଯେପରି ଦୈନନ୍ଦିନ ନୀତିାକନ୍ତି, ଭକ୍ତଙ୍କ ଦର୍ଶନରେ ସମସ୍ୟା ନହୁଏ ସେଥିପ୍ରତି ବିଶେଷ ଦୃଷ୍ଟି ରଖାଯାଇଛି । ଅଳଂକାରକୁ ଚିହ୍ନଟ କରିବା ପାଇଁ ଦୁଇ ଜେମୋଲୋଜିଷ୍ଟ ନିୟୋଜିତ ହେବେ ।
ଅଳଂକାରର ଡିଜିଟାଲ ଫଟୋଗ୍ରାଫି କରାଯିବ । ଚିହ୍ନଟ, ଗଣତି ଓ ଓଜନ ପରେ ସିନ୍ଦୁକରେ ରଖାଯିବ ।