ଜୟଦେବଙ୍କୁ ହତ୍ୟା ଧମକ, ଜଣେ ଗିରଫ
ଓଡ଼ିଶା କଂଗ୍ରେସ ସଂଗଠକ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ଦେବା ନେଇ ନନ୍ଦିପଦା ପୁଲିଜ ଜଣକୁ ଗିରଫ କରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ଗତ ମାର୍ଚ ୯ତାରିଖରେ କେହି ଜଣେ ବ୍ୟକ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ହତ୍ୟା ଧମକ ଦେଇଥିଲେ ।
ଅଭିଯୁକ୍ତକୁ ଗିରଫ ସହ ନିଜ ସୁରକ୍ଷା ପାଇଁ ଶ୍ରୀ ଜେନା ଦାବି କରିଥିଲେ । ଏ ନେଇ ସେ କେନ୍ଦୁଝର ନନ୍ଦିପଦା ଥାନାରେ ମଧ୍ୟ ଅଭିଯୋଗ କରିଥିଲେ ।
ଏପରିକି ଏହି ଧମକକୁ ନେଇ ମୁଖ୍ୟମନ୍ତ୍ରୀ, ପୁଲିସ ଡିଜି ଏବଂ କେନ୍ଦୁଝର ଏସପିଙ୍କୁ ମଧ୍ୟ ଜଣାଇଥିଲେ । ଏହାକୁ ଗୁରୁତର ଭାବେ ବିଚାର କରି କେନ୍ଦୁଝର ଏସପିଙ୍କ ନିର୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରାଯାଇଥିଲା ।
ସେହି ଅଜଣା ଯୁବକ ଭୁବନେଶ୍ୱର ଅଂଚଳର ବୋଲି ପୁଲିସ ଜାଣିପାରିଥିଲା । ରବିବାର ରାତିରେ ଯାଜପୁର ଜିଲା ଅନ୍ତର୍ଗତ ନୂଆଗାଁର ମାନଗୋବିନ୍ଦ ବାରିକକୁ ଗିରଫ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୫ ମସିହାରେ ମଧ୍ୟ ଜୟଦେବଙ୍କୁ ହତ୍ୟା ଧମକ ଦିଆଯାଇଥିଲା ।
ତେବେ ସମଗ୍ର ଘଟଣା ପଛରେ ଅନ୍ୟ କେହି ରହିଛନ୍ତି କି ନାହିଁ ତାହା ନେଇ ପୁଲିସ ଅନୁସନ୍ଧାନ ଜାରି ରଖିଛି ।