ଡିଜେଲ ୧୦୦ ପାର୍
ପେଟ୍ରୋଲ ଓ ଡିଜେଲ ପୁଣି ମହଙ୍ଗା ହୋଇଛି । ସୋମବାର ତୈଳ ଦରରେ ବୃଦ୍ଧି ଘଟିବା ସହ ଗତ ୧୦ଦିନ ମଧ୍ୟରେ ଏହା ହେଉଛି ଚତୁର୍ଥ ବୃଦ୍ଧି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ପଶ୍ଚିମ ଏସିଆରେ ଜାରି ରହିଥିବା ଉତେଜନା କାରଣରୁ ତୈଳ କମ୍ପାନୀଗୁଡ଼ିକ ଉପରେ ଏହି ଚାପ ପଡ଼ିଛି ।
ନୂଆ ରେଟ ଅନୁଯାୟୀ ଡିଜେଲ ଦର ଲିଟର ପ୍ରତି ୨.୭୧ଟଙ୍କା ଏବଂ ପେଟ୍ରୋଲ ଦର ଲିଟର ପ୍ରତି ୨.୬୧ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଭୁବନେଶ୍ୱରରେ ସୋମବାର ପେଟ୍ରୋ ଓ ଡିଜେଲ ଦରରେ ବିପୁଳ ବୃଦ୍ଧି ଘଟିଥିବା ପରିଲକ୍ଷିତ ହୋଇଛି ।
ଡିଜେଲ ଦର ପ୍ରଥମ ଥର ପାଇଁ ଲିଟର ପ୍ରତି ୧୦୦ଟଙ୍କା ପାର କରିଛି । ଏଠାରେ ଡିଜେଲ ୧୦୦.୮୧ଟଙ୍କାରେ ବିକ୍ରି ହେଉଥିବାବେଳେ ପେଟ୍ରୋଲ ଦର ୧୦୯.୧୬ଟଙ୍କାରେ ପହଂଚିଛି । ସେହିପରି ଦିଲ୍ଲୀରେ ମଧ୍ୟ ଡିଜେଲ ଲିଟର ପ୍ରତି ୯୫.୨୦ ଟଙ୍କା ଏବଂ ପେଟ୍ରୋଲ ୧୦୨.୧୨ଟଙ୍କା ବୃଦ୍ଧି ପାଇଛି ।
ଗତ ଦୁଇ ସପ୍ତାହରୁ କମ ସମୟ ମଧ୍ୟରେ ଏହା ହେଉଛି ଚତୁର୍ଥ ଦର ବୃଦ୍ଧି । ଏହା ପୂର୍ବରୁ ମେ ୧୫ତାରିଖରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି ୩ଟଙ୍କା ଲେଖାଁଏ ବୃଦ୍ଧି ପାଇଥିଲା । ପରେ ମେ’ ୧୯ରେ ୯୦ ପଇସା ଏବଂ ମେ ୨୩ତାରିଖରେ ପେଟ୍ରୋଲ ଦର ୮୭ ପଇସା ଏବଂ ଡିଜେଲ ଦର ୯୧ ପଇସା ବୃଦ୍ଧି ପାଇଥିଲା ।
ଅନ୍ୟପକ୍ଷରେ ଦିଲ୍ଲୀରେ ସିଏନଜି ଦର ମଧ୍ୟ କିଲୋ ପିଛା ୧ଟଙ୍କା ବଢ଼ିଛି । ଫଳରେ ନୂଆ ଦର ୮୧.୦୯ ଟଙ୍କାରେ ପହଂଚିଛି । ୧୦ଦିନ ମଧ୍ୟରେ ସିଏନଜି ଦରରେ ମଧ୍ୟ ଏହା ତୃତୀୟ ବୃଦ୍ଧି ଅଟେ । ଅନ୍ୟପକ୍ଷରେ ଲଗାତର ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।
କିଛି ଲୋକ ଇସ୍ରାଏଲ ଯୁଦ୍ଧକୁ ଏହାର କାରଣ ବୋଲି ମାନୁଥିବାବେଳେ ଆଉ କିଛି ଲୋକ ସାଧାରଣ ଜନତାଙ୍କ ଉପରେ ପଡ଼ୁଥିବା ପ୍ରଭାବ କଥା ଉଠାଇ ସରକରାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।