ରାଜସ୍ଥାନରେ ଧୂଳିଝଡ଼, ୪ ମୃତ
ରାଜସ୍ଥାନରେ ପ୍ରବଳ ଝଡ଼ତୋଫାନ ସାଙ୍ଗକୁ ଭୀଷଣ ଧୂଳି ଝଡ଼ ହେତୁ ଆଜି ପୃଥକ ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଛି ।
ଅନେକଙ୍କ ଘର ଭାଙ୍ଗିଯାଇଥିବାବେଳେ ଅନେକେ କ୍ଷତିଗ୍ରସ୍ତ ହୋଇଛନ୍ତି । ଢୋଲପୁର, ଭରତପୁର ଏବଂ ଭିଲୱାଡା ଜିଲାରେ ପ୍ରବଳ ପବନ ବୋହିବା ଯୋଗୁଁ କାନ୍ଥ ଭୁଶୁଡ଼ି ପଡ଼ିବାଦ୍ୱାରା କେତେକଙ୍କ ମୃତ୍ୟୁ ଘଟିଛି । ବିକାନେରରେ ଏକ ସରକାରୀ ସ୍କୁଲ ଛାତ ଭୁଶୁଡ଼ି ପଡ଼ିଛି ।
ଗତକାଲି ବିଳମ୍ବିତ ରାତିରେ ହଠାତ ଝଡ଼ତୋଫାନ ହୋଇଥିଲା । ଫଳରେ ଭରତପୁର ଜିଲାର ଝୋରଲ ଗ୍ରାମରେ ଜଣେ ୫୫ବର୍ଷୀୟ ବୟସ୍କା ମହିଳାଙ୍କ ଉପରେ କୋଠର କିଛି ଅଂଶ ଭୁଶୁଡ଼ି ପଡ଼ିଥିଲା, ଯାହାଦ୍ୱାରା ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଏଥିସହ ଜଣେ ଆହତ ମଧ୍ୟ ହୋଇଛନ୍ତି ।
ସ୍ଥାନୀୟ ଲୋକଙ୍କ ବକ୍ତବ୍ୟ ଯେ ମାଆ ଓ ପୁଅ ଦୁହେଁ ଝଡ଼ତୋଫାନ ସମୟରେ କାନ୍ଥ ପାଖରେ ବସିଥିଲେ । ମାଆଙ୍କ ମୃତ୍ୟୁ ଘଟିଥିବାବେଳେ ପୁତ୍ର ଆହତ ହୋଇଛି ।
ସେହିପରି ଅନ୍ୟ ଏକ ଘଟଣାରେ ଭିଲୱାଡ ଜିଲାର ବିଜୋଲିଆ ଅଂଚଳରେ ପ୍ରବଳ ପବନ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଛି । ଭରତପୁର ଜିଲାରେ ଦୁଇ ଭାଇଙ୍କ କାନ୍ଥ ଭୁଶୁଡ଼ି ପଡ଼ିବାଦ୍ୱାରା ସେଠାରେ ମଧ୍ୟ ଦୁଇଜଣଙ୍କ ମୃତ୍ୟୁ ଘଟିଛି ।