ଭୁବନେଶ୍ୱରରେ ଇବୋଲା ସତର୍କତା : ଏମସରେ ରହିବ ୮ଟି ସଙ୍ଗରୋଧ ଶଯ୍ୟା
ବିଶ୍ୱ ସଂସ୍ଥା ସଂଗଠନ ‘ହୁ’ ଇବୋଲାକୁ ଏକ ଜରୁରୀ ଜନସ୍ୱାସ୍ଥ୍ୟ ସମସ୍ୟା ଭାବେ ମନେ କରୁଛି ।
ତେଣୁ ଏହାକୁ ଗୁରୁତ୍ୱ ଦେଇ ଓଡ଼ିଶାରେ ଏହାକୁ ଯେପରି ପୂର୍ଣ୍ଣ ରୂପେ ପ୍ରତିରୋଧ କରିହେବ ସେଥିପ୍ରତି ବିଶେଷ ସତର୍କତାମାନ ଗ୍ରହଣ କରାଯାଉଥିବା ପରିଲକ୍ଷିତ ହୋଇଛି । ବିଶେଷ କରି ବେଙ୍ଗାଲୁରୁରୁ ଆସିଥିବା ଉଗାଣ୍ଡାର ଜଣେ ମହିଳାଙ୍କଠାରେ ଏହି ସଂକ୍ରମଣ ସମ୍ବନ୍ଧୀୟ କିଛି ଲକ୍ଷଣ ଦେଖାଯିବାଦ୍ୱାରା ତାଙ୍କୁ ସଙ୍ଗରୋଧ କରାଯାଇଛି ।
ତେବେ ସେ ଇବୋଲାରେ ଆକ୍ରାନ୍ତ କି ନୁହେଁ ସେଥିପାଇଁ ନମୁନା ଏନଆଇଭି ପୁନେକୁ ପଠାଯାଇଛି । ଯାହାକୁ ନେଇ କରୋନା ଭଳି ସାଧାରଣରେ ‘ଇବୋଲା’କୁ ନେଇ ଭୟ ଜାତ ହୋଇଛି । ସୂଚନା ଅନୁସାରେ ଭୁବନେଶ୍ୱର ବିମାନ ବନ୍ଦର ଦେଇ ଆସୁଥିବା ଇବୋଲା ସନ୍ଦିଗ୍ଧଙ୍କୁ ସଙ୍ଗରୋଧ କରିବା ଲାଗି ଏମସ ଭୁବନେଶ୍ୱରରେ ୮ଟି ଭଳି ଶଯ୍ୟା ସଂରକ୍ଷିତ ରହିବ ।
ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏମସ ନିର୍ଦେଶକଙ୍କୁ ପତ୍ର ଜାରି କରାଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ଇବୋଲାକୁ ନେଇ ବିଶ୍ୱ ସତର୍କ ରହିଛି । ତେଣୁ ଏହାକୁ ଗୁରୁତ୍ୱ ଦେଇ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯିବା ଜରୁରୀ ହୋଇଛି । ଭୁବନେଶ୍ୱର ବିମାନ ବନ୍ଦରରେ ଯେଉଁ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବ, ସେମାନଙ୍କୁ ଏମସରେ ସଙ୍ଗରୋଧରେ ରଖିବା ଲାଗି ବ୍ୟବସ୍ଥା କରାଯିବା ଆବଶ୍ୟକ ।
ଯାହାଦ୍ୱାରା ଏଭଳି ଜନସ୍ୱାସ୍ଥ୍ୟ ସମସ୍ୟାର ଉପଯୁକ୍ତ ମୁକାବିଲା କରାଯିବା ସମ୍ଭବ ହେବ । ଯଦି ଆଗାମୀ ଦିନରେ ଏଭଳି ମାମଲା ସଂଖ୍ୟା ବୃଦ୍ଧି ପାଏ, ତେବେ ରାଜ୍ୟର ବିଭିନ୍ନ ମେଡ଼ିକାଲ କଲେଜ, ହସ୍ପିଟାଲ ଇତ୍ୟାଦିରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯିବ ।
ସଂପ୍ରତି ଭୁବନେଶ୍ୱର ବିମାନ ବନ୍ଦରରେ ଏଭଳି ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି । ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ସହ ୨୧ ଦିନର ଗସ୍ତ ବିବରଣୀ ଯାଂଚ କରାଯିବ ।
ଯଦି କୌଣସିଙ୍କଠାରେ ସନେ୍ଦହ ଉପୁଜେ, ତେବେ ନିର୍ଦେଶାବଳୀ ମୁତାବକ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି ।