ବସ-ଟ୍ରକ ଧକ୍କାରେ ନିଆଁ : ୧୩ ମୃତ
ଆନ୍ଧ୍ର ପ୍ରଦେଶର ମାର୍କାପୁରମ ଜିଲାରେ ଗୁରୁବାରଏକ ଘରୋଇ ଯାତ୍ରୀବାହୀ ବସ ଏକ ଟିପ୍ପର ଟ୍ରକ ସହ ଧକ୍କା ଲାଗିବାଦ୍ୱାରା ୧୩ଜଣଙ୍କ ମୃତୁ୍ୟ ଘଟିଛି ।
ଜଣାପଡ଼ିଛି ଯେ ସକାଳ ପ୍ରାୟ ୬ଟା ବେଳେ ହରେକୃଷ୍ଣ ଟ୍ରାଭେଲ୍ସର ବସଟି ତେଲେଙ୍ଗାନାର ନିର୍ମଳରୁ ନେଲୋର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଦୁର୍ଘଟଣାଟି ଏତେଟା ପ୍ରବଳ ଥିଲା ଯେ ଘର୍ଷଣ ଦ୍ୱାରା ବସରେ ନିଆଁ ଲାଗି ଯାଇଥିଲା ।
ଫଳରେ ବହୁ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ବୋଲି ସ୍ଥାନୀୟ ପୁଲିସ ପ୍ରକାଶ କରିଛି । ଜିଲା ପୁଲିସ କର୍ତୃପକ୍ଷଙ୍କ ସୂଚନା ଅନୁସାରେ ପ୍ରାୟ ୨୦ଜଣ ଆହତ ଯାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଅଧିକାରୀମାନେ ଆଶଙ୍କା କରୁଛନ୍ତି ।
ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦ ୨ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ହଜାର ଟଙ୍କା ପ୍ରଦାନ କରାଯିବା ବୋଲି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।
ଏହା ସହ ଅଧିକାରୀଭ୍କ ସହ କଥା ହୋଇ ଆହତଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ସମେତ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଘଟଣାର ତଦନ୍ତ ଜାରି ରହିଛି ।
ରିପୋର୍ଟ ଦାଖଲ ପାଇଁ ଅଧିକାରୀମାନଙ୍କୁ ନିର୍ଦେଶ ହୋଇଛି । ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ, ଆଇଟି ମନ୍ତ୍ରୀ ନାରା ଲୋକେଶ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।