କାରରେ ନିଆଁ ଲାଗି ୫ଜଣ ଜୀବନ୍ତ ଦଗ୍ଧ
ରାଜସ୍ଥାନର ଆଲୱାର ଜିଲା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେରେ ଏକ ଚଳନ୍ତା କାରରେ ହଠାତ୍ ନିଆଁ ଲାଗିଯିବା ଫଳରେ ଗୋଟିଏ ପରିବାରର ୫ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ କାର ଚାଳକ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ନିକଟସ୍ଥ ହାସପାତାଳରେ ଚିକିତ୍ସାଧୀନ ଅଛନ୍ତି ।
ମୃତକଙ୍କ ମଧ୍ୟରେ ତିନିଜଣ ମହିଳା, ଜଣେ ଶିଶୁ କନ୍ୟା ଓ ଜଣେ ପୁରୁଷ ଅଛନ୍ତି ।
ସମସ୍ତେ ମଧ୍ୟପ୍ରଦେଶର ଶିଓପୁର ଜିଲାର ବୋଲି ଜଣାପଡ଼ିଛି । ପୁଲିସର ସୂଚନା ଅନୁଯାୟୀ ବୁଧବାର ବିଳମ୍ବିତ ରାତ୍ରିରେ ମୌଜପୁର ନିକଟରେ ଏହି ଦୁର୍ଘଟଣା ଘଟିଥିଲା ।
ପରିବାର ବୈଷ୍ଣୋ ଦେବୀ ଦର୍ଶନ ସାରି ଫେରୁଥିବାବେଳେ ଏହି ଅଘଟଣ ଘଟିଛି । କାରରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନେ୍ଦହ କରାଯାଉଛି । କାରଟି ସିଏନଜି ଚାଳିତ ହୋଇଥିବାରୁ ନିଆଁ ଏତେ ଶୀଘ୍ର ବ୍ୟାପୀ ଯାଇଥିଲା ଯେ ଭିତରେ ଥିବା ଲୋକଙ୍କୁ ବାହାରିଯିବା ପାଇଁ ସାମାନ୍ୟ ସମୟ ମଧ୍ୟ ମିଳି ନଥିଲା ।
ନିଆଁକୁ ଆୟତ କରିବା ପାଇଁ ଦମକଳ ବାହିନୀ ପହଂଚିବା ପୂର୍ବରୁ କାରଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇ ଯାଇଥିଲା ।
ଗାଡି ଭିତରୁ ମୃତକଙ୍କ କେବଳ କିଛି ଅସ୍ଥି ଅବଶେଷ ମିଳିଛି । ଯାହାକୁ ଚିହ୍ନଟ କରିବା ପାଇଁ ଡିଏନଏ ପରୀକ୍ଷା କରାଯିବ ଜଣାପଡ଼ିଛି ।
କାର ଚାଳକ ବିନୋଦ କୁମାର ମେହେର ଗାଡ଼ିରୁ ଡେଇଁ ନିଜ ଜୀବନ ବଂଚାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସେ ୮୦ପ୍ରତିଶତ ପର୍ଯ୍ୟନ୍ତ ପୋଡ଼ି ଯାଇଛନ୍ତି ।
ତାଙ୍କୁ ଗୁରୁତର ଅବସ୍ଥାରେ ଜୟପୁରକୁ ସ୍ଥାନାନ୍ତର କରାଯାଇଛି । ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।