ମେ ୩୦ରୁ ରାଜ୍ୟରେ ଏସଆଇଆର ସହାୟତା ପାଇଁ ‘୧୯୫୦’ ଟୋଲଫ୍ରି ନମ୍ବର
ରାଜ୍ୟରେ ଅଟକି ରହିଥିବା ମେ ୩୦ତାରିଖରୁ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଭୋଟରଙ୍କ ସହାୟତା ନିମନ୍ତେ ଟୋଲଫ୍ରି ନମ୍ବର ୧୯୫୦ ଜାରି କରାଯାଇଛି । ଟୋଲଫ୍ରି ନମ୍ବର ଜରିଆରେ ନାଗରିକମାନେ ଭୋଟର ତାଲିକା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ । ନିଜ ଅଂଚଳର ବୁଥ ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା ପାଇଁ ଏକ କଲ ମଧ୍ୟ ବୁକ କରିପାରିବେ ।
ମଙ୍ଗଳବାର ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୃଶ୍ୟସଂଚାରୀ (ଅନଲାଇନ) ମାଧ୍ୟମରେ ଅନୁଷ୍ଠିତ ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଆର ଏସ ଗୋପାଳନ ଅଧ୍ୟକ୍ଷତା କରିଥିଲେ । ସମସ୍ତ ଜିଲାର ନୋଡାଲ ଅଫିସର, ଡେପୁଟି କଲେକ୍ଟର (ନିର୍ବାଚନ) ଏବଂ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (ଡିଆଇପିଆରଓ)ମାନେ ଯୋଗ ଦେଇଥିଲେ । ବୈଠକରୁ ମିଳିଥିବା ସୂଚନାନୁସାରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏସଆଇଆର କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ତ୍ରୁଟିଶୂନ୍ୟ କରିବା ପାଇଁ ସମସ୍ତ ଜିଲା ଅଧିକାରୀଭ୍କୁ ନିର୍ଦେଶ ଦେଇଛନ୍ତି ।
ବିଶେଷ କରି ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଏବଂ ସ୍ଥାନାନ୍ତରଣ ପ୍ରକ୍ରିୟାକୁ କିପରି ସରଳୀକରଣ କରାଯାଇପାରିବ, ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଅଭିଯାନରେ କୌଣସି ଯୋଗ୍ୟ ଭୋଟର ଯେପରି ବାଦ ନ ପଡନ୍ତି, ସେଥିପ୍ରତି ସତର୍କ ଦୃଷ୍ଟି ଦେବାକୁ ସେ କହିଛନ୍ତି । ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ସମୟରେ ବିଏଲଓମାନେ ଘରକୁ ଘର ବୁଲି ସର୍ଭେ ପ୍ରକ୍ରିୟାକୁ ସ୍ୱଚ୍ଛ, ସରଳ ଓ ଗୁଜବମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଜିଲା ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଛନ୍ତି ।
ବିଶେଷ କରି ସୋସିଆଲ ମିଡିଆରେ ଏସଆଇଆରକୁ ନେଇ ପ୍ରସାରିତ ହେଉଥିବା ଯେକୌଣସି ଅପପ୍ରଚାରର ତୁରନ୍ତ ମୁକାବିଲା କରିବାକୁ କୁହାଯାଇଛି । ଏଥିପାଇଁ ପ୍ରତ୍ୟେକ ଜିଲାର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀମାନେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ ତୀକ୍ଷ୍ମ ନଜର ରଖିବେ ।
କୌଣସି ଅପପ୍ରଚାର ନଜରକୁ ଆସିଲେ, ପ୍ରଶାସନ ପକ୍ଷରୁ ସଙ୍ଗେ ସଙ୍ଗେ ତାର ସତ୍ୟାସତ୍ୟ ଉପସ୍ଥାପନ କରାଯାଇ ଖଣ୍ଡନ କରାଯିବ । ଭୋଟର ତାଲିକା ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ ସମସ୍ତ ଗଣନା ଫର୍ମକୁ ସ୍ଥାନୀୟ ଓଡ଼ିଆ ଭାଷାରେ ଉପଲବ୍ଧ କରାଯିବ । ଯାହାଦ୍ୱାରା ଗ୍ରାମାଂଚଳର ସାଧାରଣ ଲୋକେ ଏହାକୁ ସହଜରେ ବୁଝିପାରିବେ ।
ଏହା ସହିତ ଘରକୁ ଘର ବୁଲି ହେବାକୁ ଥିବା ଗଣନା କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ସଚେତନ କରାଯିବ । ଯେପରି ସମୋନେ ନିଜ ସଠିକ୍ ତଥ୍ୟ ପ୍ରଦାନ କରିବେ । ଭୋଟର ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ।
ସ୍ଥାନୀୟ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଏହାର କିପରି ବହୁଳ ଭାବେ ପ୍ରଚାର ପ୍ରସାର କରାଯାଇପାରିବ ସେ ଉପରେ ଡେପୁଟି ସିଇଓ ଡ. ଲକ୍ଷ୍ମୀପ୍ରସାଦ ସାହୁ ସମସ୍ତ ଜିଲାର ମିଡିଆ ସେଲ, ସୋସିଆଲ ମିଡିଆ ସେଲ ମୁଖ୍ୟ ଓ ଡିଆଇପିଆରଓମାନଙ୍କୁ ପରାମର୍ଶ ଦେଇଛନ୍ତି ।
ପ୍ରତ୍ୟେକ ଜିଲାରେ ନିର୍ବାଚନ ବିଭାଗ ଓ ଜିଲା ପ୍ରଶାସନ ମଧ୍ୟରେ ଉତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଡେପୁଟି କଲେକ୍ଟର (ନିର୍ବାଚନ) ଓ ନୋଡାଲ ଅଫିସରମାନଙ୍କୁ ପରାମର୍ଶ ଦିଆଯାଇଛି । ଅନଲାଇନ ମାଧ୍ୟମରେ ଆବେଦନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହ ବୁଥ ସ୍ତରୀୟ ଅଧିକାରୀମାନଙ୍କୁ ସକ୍ରିୟ କରିବା ପାଇଁ ବୈଠକରେ ନିଷ୍ପତି ହୋଇଛି ।