ସହରାଂଚଳରେ ଆକସ୍ମିକ ବନ୍ୟା ମୁକାବିଲା
ନିୟମିତ ନାଳ ଯାଂଚ ସହ ରହିବ ୨୪ଘଂଟିଆ ନିୟନ୍ତ୍ରଣ କକ୍ଷ
ଆଗକୁ ବର୍ଷା ଋତୁ । ଆଗାମୀ ମୌସୁମୀ ପାଇଁ ସହରାଂଚଳର ସୁରକ୍ଷା ଓ ପ୍ରସ୍ତୁତିକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦେଶାବଳି ଜାରି କରାଯାଇଛି ।
ସମସ୍ତ ସହରାଂଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ଏହି ନିର୍ଦେଶାବଳି ପାଳନ କରିବାକୁ କୁହାଯାଇଛି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ନର୍ଦେଶକ୍ରମେ ଏହି ନିର୍ଦେଶାବଳି ଜାରି କରାଯାଇଛି । ଅଧିକାରୀମାନେ ଏହି ମାର୍ଗଦର୍ଶିକାକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ କୁହାଯାଇଛି ।
ଅବହେଳା ଦେଖାଦେଲେ ତାହାକୁ ଗୁରୁତର ସହ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ପ୍ରସ୍ତୁତି ରଣନୀତିର ଅଂଶସ୍ୱରୂପ ସମସ୍ତ ଡ୍ରେନେଜ ସିଷ୍ଟମ ଏବଂ ମ୍ୟାନହୋଲଗୁଡ଼ିକର ଶତ ପ୍ରତିଶତ ଯାଂଚ କରିବାକୁ ପୌରାଂଚଳ କର୍ତୃପକ୍ଷଙ୍କୁ ବାଧ୍ୟତାମୂଳକ କରାଯାଇଛି । କ୍ଷତିଗ୍ରସ୍ତ ମ୍ୟାନହୋଲଗୁଡ଼ିକର ତୁରନ୍ତ ମରାମତି କିମ୍ବା ସୁରକ୍ଷିତ ଭାବେ ଢାଙ୍କିବା କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇଛି । ଯେଉଁଠାରେ ମରାମତି ବାକି ରହିଛି, ସେଠାରେ ସତର୍କତା ସୂଚନା ବୋର୍ଡ ଏବଂ ପ୍ରତିରକ୍ଷା ଜାଲ ଲଗାଇବାକୁ ନିର୍ଦେଶ ହୋଇଛି ।
ଏଥିସହ ନାଳଗୁଡ଼ିକର ନିୟମିତ ଯାଂଚ ଓ ଜଳ ନିଷ୍କାସନରେ ବାଧା ସୃଷ୍ଟି କରୁଥିବା ଜବରଦଖଲକୁ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଇଛି । ସହରାଂଚଳରେ ବାରମ୍ବାର ଜଳବନ୍ଦୀ ସମସ୍ୟା ଦେଖା ଦେଉଥିବା ତଥା ତଳିଆ ଅଂଚଳଗୁଡ଼ିକୁ ଚିହ୍ନଟ କରାଯାଇ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଅଂଚଳଗୁଡ଼ିକରୁ ଜଳ ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ପରିମାଣର ପମ୍ପ ସେଟ ଏବଂ ଡିଜି ସେଟ ମୁତୟନ କରାଯିବ । ସହରାଂଚଳଗୁଡ଼ିକୁ ବିଭିନ୍ନ କାର୍ଯ୍ୟକ୍ରମ ଜୋନରେ ବିଭକ୍ତ କରାଯାଇ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ ।
ଫଳରେ ଜରୁରୀକାଳୀନ ସ୍ଥିତିରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସହିତ ସ୍କୁଲ ଓ କଲେଜଗୁଡ଼ିକୁ ଅସ୍ଥାୟୀ ସହାୟତା କେନ୍ଦ୍ର ଭାବେ ପ୍ରସ୍ତୁତ ରଖାଯିବ । ଏହି କେନ୍ଦ୍ରଗୁଡ଼ିକରେ ନିରାପଦ ପାନୀୟ ଜଳ, ପରିମଳ ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ।
ମହିଳା, ଶିଶୁ ଓ ବୟସ୍କଙ୍କ ସୁରକ୍ଷା ପାଇଁ ମହିଳା ହୋମଗାର୍ଡ ଏବଂ ପର୍ଯ୍ୟାପ୍ତ ସୁରକ୍ଷାକର୍ମୀ ନିୟୋଜିତ କରାଯିବ । ସେହିପରି ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ରୋଗରୁ ରକ୍ଷା ପାଇଁ ଫଗିଂ ଏବଂ ଲାର୍ଭିିସାଇଡ ସିଂଚନ ପାଇଁ ନିର୍ଦେଶ ହୋଇଛି । ନାଳ ନର୍ଦମାରେ ପେଯରି କେହି ଆବର୍ଜନା ନ ପକାନ୍ତି ସେଥିପ୍ରତି ନଜର ରଖାଯିବ ।
ମୌସୁମୀ ସମୟରେ କ୍ଷତିଗ୍ରସ୍ତ ହୋଇଥିବା ସହରାଂଚଳର ରାସ୍ତାଗୁଡ଼ିକୁ ୭୨ଘଂଟା ମଧ୍ୟରେ ଯାତାୟାତ ଉପଯୋଗୀ କରିବାକୁ ନିର୍ଦେଶ ହୋଇଛି ।